ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଥିବା ହାତୀମୃତ୍ୟୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ। ଜେଟିଏଫ୍‌ କ’ଣ କରୁଛି ବୋଲି ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ହାଇକୋର୍ଟଙ୍କ ଖଣ୍ଡପୀଠ ଗୁରୁବାର ଦିନ ଏ ସଂକ୍ରାନ୍ତୀୟ ମାମଲାର ଶୁଣାଣି କରି ସରକାର ଗଠନ କରିଥିବା ଯୁଗ୍ମ ଟାସ୍କଫୋର୍ସ (ଜେଟିଏଫ୍) ଆବାହକ ତଥା ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍ ୱାଇଲ୍‌ଡ ଲାଇଫ୍‌)ଙ୍କୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଜେଟିଏଫ୍ ନିର୍ଦ୍ଦିଷ୍ଟ ଭାବେ ଏ କ୍ଷେତ୍ରରେ କି ପଦକ୍ଷେପ ଗ୍ରହଣ କରୁଛି ସେ ନେଇ ସତ୍ୟପାଠରେ ସ୍ପଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଗତ ଅକ୍ଟୋବର ୧୯ରେ ଅନୁଷ୍ଠିତ ହୋଇଥିବା ଜେଟିଏଫ୍ ବୈଠକର ସବିଶେଷ ବିବରଣୀ ମଧ୍ୟ ସତ୍ୟପାଠ ସହିତ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ହାତୀ ମୃତ୍ୟୁ ରୋକିବାକୁ ଓ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା ପାଇଁ କ’ଣ ଆଲୋଚନା କରାଯାଇଥିଲା ଓ କ’ଣ ନିଷ୍ପତ୍ତି ନିଆଯାଇଥିଲା, ସେ ନେଇ ସତ୍ୟପାଠରେ ଉଲ୍ଲେଖ କରାଯିବ। ଏଥିସହିତ ଜେଟିଏଫ୍‌ର ସଦସ୍ୟ ଥିବା ଅତିରିକ୍ତ ଏସ୍‌ପିଙ୍କୁ ହାତୀ ଶିକାର ସଂପର୍କିତ ମାମଲା ଗୁଡିକର ସ୍ଥିତି ସଂକ୍ରାନ୍ତରେ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ ଜେଟିଏଫ୍‌ର ସଦସ୍ୟମାନେ ଭର୍ଚୁଆଲ ମାଧ୍ୟମରେ ହାଇକୋର୍ଟରେ ହାଜର ହେବେ। ଶୁଣାଣି ସମୟରେ ଜେଟିଏଫ୍ ସଦସ୍ୟ ଉପସ୍ଥିତ ରହି ହାତୀ ମୃତ୍ୟୁ ପ୍ରସଂଗରେ କୋର୍ଟଙ୍କ ପ୍ରଶ୍ନର ଉତ୍ତର ରଖିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ହାତୀ ଶିକାର ରୋକିବା ପ୍ରସଙ୍ଗରେ ‘ବ୍ୟାପକ ଆକ୍ସନ ପ୍ଲାନ୍‌’ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୧ ତାରିଖ ଦିନ ୨ଟାରେ ହେବ ବୋଲି ଧାର୍ଯ୍ୟ କରାଯାଇଛି।

ଗୁରୁବାର ଦିନ ହାଇକୋର୍ଟରେ ଏହି ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ରାଜ୍ୟରେ ବଢୁଥିବା ହାତୀ ଶିକାର ଘଟଣାକୁ ସରକାର ରୋକି ପାରୁନାହାନ୍ତି। ଗତ ଅକ୍ଟୋବର ୭ରେ ବିଷକ୍ରିୟା ଯୋଗୁଁ ଦୁଇ ହାତୀଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଅନ୍ୟପଟେ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ, ବହୁକ୍ଷେତ୍ରରେ ବିଦ୍ୟୁତ୍‌ ଆଘାତରୁ ହାତୀଙ୍କ ମୃତ୍ୟୁ ହେଉଛି। ଏଭଳି ସ୍ଥିତିରେ ଜେଟିଏଫ୍ କ’ଣ କରୁଛି ଓ ଏ ନେଇ କାହିଁକି ସତ୍ୟପାଠ ଦାଖଲ ହୋଇ ନାହିଁ ବୋଲି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ।

ତେବେ ଅକ୍ଟୋବର ୧୯ ତାରିଖରେ ଜେଟିଏଫ୍‌ର ବୈଠକ ବସିଥିଲା ଏବଂ ଏହାର ଆବାହକ ଏ ନେଇ ସତ୍ୟପାଠ ଦାଖଲ କରିବେ ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ହାତୀ ଶିକାର ଘଟଣାକୁ ନେଇ ରୁଜୁ ଅପରାଧିକ ମାମଲାର ସ୍ଥିତି ସଂକ୍ରାନ୍ତରେ ସରକାରଙ୍କ ଏକ ଚିଠି ଅତିରିକ୍ତ ସରକାରୀ ଓକିଲ (ଏଜିଏ) ଉପସ୍ଥାପନ କରିଥିଲେ। କିନ୍ତୁ, ଫେରାର ଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗିରଫଦାରୀ ମାମଲା ଓ ଅଭିଯୁକ୍ତ ଗିରଫ ହୋଇ ସାରିଥିବା ମାମଲା ଗୁଡ଼ିକରେ କଣ ନିର୍ଦ୍ଦିଷ୍ଟ ଭାବେ ଅଗ୍ରଗତି ହୋଇଛି ସେ ନେଇ ଏଥିରୁ କିଛି ସ୍ପଷ୍ଟ ହେଉ ନାହିଁ ବୋଲି ହାଇକୋର୍ଟ କହିଥିଲେ। ଏଭଳି ସ୍ଥିତିରେ ଜେଟିଏଫ୍‌ ସଦସ୍ୟ ଥିବା ଅତିରିକ୍ତ ଏସପିଙ୍କୁ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ହାଇକୋର୍ଟରେ ହାତୀ ମୃତ୍ୟୁ ପ୍ରସଂଗକୁ ନେଇ ଆଇନଜୀବୀ ମୃଣାଳିନୀ ପାଢୀ, ବାଳଗୋପାଳ ମିଶ୍ର, ଦ୍ବିଜ ଦଳପତି, ଗୀତା ରାଉତଙ୍କ ଜନସ୍ବାର୍ଥ ଆବେଦନର ଏକତ୍ର ଶୁଣାଣି ଚାଲିଛି। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର, ଆଇନଜୀବୀ ଆଶିଷ କୁମାର ମିଶ୍ର, ଆଇନଜୀବୀ ମୃଣାଳିନୀ ପାଢ଼ୀ ମାମଲା ପରିଚାଳନା କରୁଛନ୍ତି।