ଓଡ଼ିଶାର ଆଉ ୧୦ଟି ସ୍ଥାନରେ ଉଦଘାଟିତ ହେଲା ଭର୍ଚୁଆଲ ହାଇକୋର୍ଟ

ଭୁବନେଶ୍ୱର,୨୯/୩ (ସତ୍ୟପାଠ ବ୍ୟୁରୋ): ଓଡିଶା ହାଇକୋର୍ଟଙ୍କର ଆଉ ୧୦ ଟି ସ୍ଥାନରେ ଭର୍ଚୁଆଲ କୋର୍ଟ ବା ଭିସି କ୍ୟାବିନ ମଙ୍ଗଳବାର ଉଦଘାଟିତ ହୋଇଛି। ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଏହାକୁ ଉଦଘାଟନ କରିଛନ୍ତି। ଆୟୋଜିତ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧରଙ୍କ ସମେତ ହାଇକୋର୍ଟଙ୍କ ଆଇଟି ଓ ଏଆଇ କମିଟି ଅଧ୍ୟକ୍ଷ ଜଷ୍ଟିସ ଶୁଭାଶିଷ ତାଳପତ୍ର ଯୋଗ ଦେଇଥିଲେ।

ତେବେ ଏହାକୁ ମିଶାଇ ଓଡ଼ିଶା ହାଇକୋର୍ଟଙ୍କ ଭିସି କ୍ୟାବିନ ସଂଖ୍ୟା ୨୦ ରେ ପହଞ୍ଚିଛି। ଗତ ଫେବୃଆରୀ ୩ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୧୦ ଟି ଜିଲ୍ଲାରେ ଭର୍ଚୁଆଲ କୋର୍ଟ ଉଦଘାଟିତ ହୋଇଥିଲା। ଏହାକୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ ଉଦଘାଟନ କରିଥିଲେ। ତେବେ ପ୍ରଥମ ପର୍ଯ୍ୟାୟରେ ବାଲେଶ୍ଵର, ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ଭଦ୍ରକ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର, ବଲାଙ୍ଗୀର, କୋରାପୁଟ ଜିଲ୍ଲାର ଜୟପୁର, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲାର ରାଉରକେଲାରେ ଏହି ଭିସି କୋର୍ଟ ଉଦଘାଟିତ ହୋଇଥିଲା। ମଙ୍ଗଳବାର ଦ୍ଵିତୀୟ ପର୍ଯ୍ୟାୟରେ ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କେନ୍ଦୁଝର, କେନ୍ଦ୍ରାପଡା, କନ୍ଧମାଳ, ମୟୁରଭଞ୍ଜ, ନୟାଗଡ଼, ସୁନ୍ଦରଗଡ଼ ଜିଲ୍ଲାରେ ଏହି ଭରଚୁଆଲ କୋର୍ଟ ଉଦଘାଟିତ ହୋଇଯାଇଛି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଏହି ସମସ୍ତ ଜିଲ୍ଲାରେ ଭିସି କ୍ୟାବିନ ସ୍ଥାପିତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ବାକି ରହିଥିବା ଅନ୍ୟ ଜିଲ୍ଲାରେ ଏହି ସୁବିଧା ଉପଲବ୍ଧ ହେବ। ଏହି ସମସ୍ତ ଜିଲ୍ଲାରୁ ଏବେ ହାଇକୋର୍ଟର ଭର୍ଚୁଆଲ କୋର୍ଟ କାର୍ଯ୍ୟ କରିବ।

ଭର୍ଚୁଆଲ କୋର୍ଟ ମୋକଦ୍ଦମାରେ ପକ୍ଷଙ୍କ ଖର୍ଚ୍ଚ ହ୍ରାସ ସହିତ ଦକ୍ଷତା ବୃଦ୍ଧି କରିବ ଓ ତ୍ବରିତ ନ୍ୟାୟ ନିଶ୍ଚିତ କରିବ। ଭର୍ଚୁଆଲ କୋର୍ଟ ପ୍ରତିଷ୍ଠା ଓଡ଼ିଶାର ଜନସାଧାରଣଙ୍କ ପାଇଁ ନ୍ୟାୟିକ ବ୍ୟବସ୍ଥା ନିକଟରେ ପହଞ୍ଚିବା କ୍ଷେତ୍ରରେ ଉନ୍ନତି ଆଣିବ। ଦ୍ବିତୀୟ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ପ୍ରତିଷ୍ଠିତ ଭର୍ଚୁଆଲ ହାଇକୋର୍ଟ ଉଦଘାଟନ କରିବା ଅବସରରେ ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଏହା କହିଛନ୍ତି। ହାଇକୋର୍ଟରେ ମାମଲା ରୁଜୁ ଓ ଶୁଣାଣି କ୍ଷେତ୍ରରେ ଅଂଶଗ୍ରହଣ ପାଇଁ ଜିଲ୍ଲା ଅଦାଲତ ଆଇନଜୀବୀଙ୍କୁ ଏହି ବ୍ୟବସ୍ଥା ସକ୍ଷମ କରାଇବ। ଭର୍ଚୁଆଲ କୋର୍ଟ ଦେଶର ବିଚାରବିଭାଗରେ ବୈଷୟିକ ଜ୍ଞାନକୌଶଳର ଉପେଯାଗ ତ୍ବାରନ୍ବିତ କରିବ। ଭାରତୀୟ ନ୍ୟାୟବ୍ୟବସ୍ଥାରେ ଏପରି ରୁପାନ୍ତରଣ କ୍ଷେତ୍ରରେ ଓଡ଼ିଶା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ରାଜ୍ୟର ସବୁ ଅଦାଲତ ‘ପେପରଲେସ୍’ ବ୍ୟବସ୍ଥାରେ କାର୍ଯ୍ୟ କରିବା ଓ ଓଡ଼ିଶାର ଜନସାଧାରଣଙ୍କୁ ଗୁଣାତ୍ମକ ନ୍ୟାୟ ପ୍ରଦାନରେ ସହାୟତା ପ୍ରଦାନ କରିବା ହାଇକୋର୍ଟଙ୍କ ଦୂରଦୃଷ୍ଟି ବୋଲି ମୁଖ୍ୟ ବିଚାରପତି ଏହି ଅବସରରେ କହିଥିଲେ।

ଏହି ଉତ୍ସବରେ ଆଡଭୋକେଟ ଜେନେରାଲ, ଜୁଡିସିଆଲ ଅଫିସର, ୧୦ ଟି ଜିଲ୍ଲାର ସରକାରୀ ଅଧିକାରୀ ଓ ଓକିଲ ଯୋଗ ଦେଇଥିଲେ। ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

ସୂଚନାଯୋଗ୍ୟ ଯେ, ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି ନେଇ ଆନ୍ଦୋଳନ ଚାଲିଥିବା ବେଳେ ଭରଚୁଆଲ କୋର୍ଟ ସ୍ଥାପନ ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ୩୦ ଟି ଯାକ ଜିଲ୍ଲାରେ ଭର୍ଚୁଆଲ କୋର୍ଟ ସ୍ଥାପନ କରିବାକୁ ହାଇକୋର୍ଟ ନିଷ୍ପତ୍ତି ନେଇଛନ୍ତି।

Related Posts