ପାଟକୁରାରେ ପଣ୍ଡା ଆଉଟ୍

ସତ୍ୟପାଠ ବ୍ୟୁରୋ : ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆଉ ପାଟକୁରା ନିର୍ବାଚନ ବାତିଲ ହେବା ପର୍ଯ୍ୟନ୍ତ, ସେ ସମୟରେ ନିର୍ବାଚନ ପ୍ରଚାର ପ୍ରସ୍ତୁତିକୁ ନେଇ ଯାହା ଚିତ୍ର ଥିଲା, ଏବେ ଯେଉଁ ପୁନଃ ନିର୍ବାଚନ ହେଉଛି ତାହାର ଚିତ୍ର କିନ୍ତୁ ବଦଳି ଯାଇଛି । ଆଉ ତାହା ହିଁ ଖୋରାକ ଯୋଗାଇଛି ରାଜନୀତିରେ ରୁଚି ରଖୁଥିବା ଲୋକମାନଙ୍କୁ ଏ ଆଲୋଚନା ପାଇଁ ।

ତାରିଖ ଘୋଷଣା ହୋଇନାହିଁ କିନ୍ତୁ ପହିଲି ରଜ ଠୁ ବିଜୟ ମହାପାତ୍ର ଆରମ୍ଭ କରିଛନ୍ତି ପ୍ରସ୍ତୁତି । ଆଉ ପହିଲି ରଜରେ ଶୁକ୍ରବାର ଯେଉଁ ରୋଡ ସୋ କରିଥିଲେ, ତାହାର ଚିତ୍ର ବା ଛବିଟି ପରିବର୍ତ୍ତୀତ ପାଟକୁରା ପଲିଟିକ୍ସର ଚିତ୍ରଟାକୁ ପୁରା ସ୍ପଷ୍ଟ କରି ଦେଇଛି । ଆଉ ବିଜେଡିକୁ ଚେକ୍ ଦେବା ପାଇଁ ବିଜେପି ଓ ବିଜୟ ମହାପାତ୍ରଙ୍କର ଗେମପ୍ଲାନ କଣ ରହିଛି, ତାହା ମଧ୍ୟ ଏଥିରେ ସ୍ପଷ୍ଟ କରି ଦିଆଗଲା ।

ପରିବର୍ତ୍ତୀର ରଣନୀତି ହେଉଛି, ଏଥର ପାଟକୁରା ମଇଦାନରୁ ବୈଜୟନ୍ତ ବାବୁ ଆଉଟ୍ , ଅପରାଜିତା ଷଢ଼ଙ୍ଗୀ ଇନ । ବୈଜୟନ୍ତ ବାବୁ ଆସି ପାରନ୍ତି ମନା ନାହିଁ କିନ୍ତୁ । ଫଳାଫଳ କହୁଛି, ପାଟକୁରାରେ ଏମପି ଇଲେକ୍ସନରେ ବିଜେପି ଓ ବିଜେଡି ଭିତରେ ଭୋଟ ବ୍ୟବଧାନ ବହୁତ ରହିଛି । ଅର୍ଥାତ ଯଦି ନିର୍ବାଚନ ହୋଇଥାନ୍ତା ତେବେ ବିଜୟ ନିଶ୍ଚିତ ହାରିଥାନ୍ତେ । ଲୋକେ ବୈଜୟନ୍ତ ଓ ବିଜୟଙ୍କ ପାଇଁ ଭାଗ ଭାଗ କରି ଭୋଟ ତ ଏତେ ମାତ୍ରରେ ଦେଇ ନଥାନ୍ତେ !

ତେଣୁ ବିଜୟଙ୍କ ପାଇଁ ପାଟକୁରାରେ ବୈଜୟନ୍ତ ଏକପ୍ରକାର ବୋଝ । ଏକଥା କୁ ଦଳ ଆଉ ବିଜୟ ବାବୁ ବୁଝି ସାରିଛନ୍ତି । ଦ୍ୱିତୀୟରେ ବିଜେଡି ସପକ୍ଷରେ ମହିଳା ଭୋଟ ସ୍ୱିପ୍ କରିଛି କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ । ତା ଛଡା ସାଧାରଣ ଲୋକ ଓ ଗାଁ ମହିଳାଙ୍କ ସହ ଲୋକସମ୍ପର୍କ ବୈଜୟନ୍ତଙ୍କ କ୍ଷେତ୍ରରେ ବହୁତ କମ୍ । ଯେଉଁଥିପାଇଁ ଦଳ ଅପରାଜିତାଙ୍କୁ ଇନ କରାଇଛି । ଫଳରେ ମହିଳା ଭୋଟରଙ୍କୁ ନିଜ ସପକ୍ଷକୁ ନିଆଯାଇପାରିବ ।

ଅପରାଜିତାଙ୍କ ସଂସଦୀୟ କ୍ଷେତ୍ରରେ ଗୋଟିଏ ବି ବିଧାନସଭା ଆସନରେ ଜିତି ନାହାଁନ୍ତି ବିଜେପି ପ୍ରାର୍ଥୀ । ତଥାପି ସେ ସାଂସଦ ଭାବେ ଜିତିଲେ । କିନ୍ତୁ ବୈଜୟନ୍ତ ନିଜ ପସନ୍ଦର ସବୁ ନେତାଙ୍କୁ ଟିକଟ ଦେଲେ । ବିଜେପି ସହ ସବୁ ସମ୍ପର୍କ ତୁଟି ଯାଇଥିବା ସତ୍ୱେ , ଆଉ ଧର୍ମେନ୍ଦ୍ର ପ୍ରଧାନ ତଥା ଅନ୍ୟ ନେତାଙ୍କ ସହ ବିଜୟ ମହାପାତ୍ରଙ୍କ ଖୁଲମଖୁଲା ତିକ୍ତ ସମ୍ପର୍କ, ଏପରିକି ଅମିତ ଶାହାଙ୍କୁ ମଧ୍ୟ ସମାଲୋଚନା କରିଥିଲେ ବିଜୟ ।

ତଥାପି ପାଟକୁରାରୁ ଭୋଟ ଅଧିକ ପାଇବେ ବୋଲି ବିଜୟଙ୍କୁ ଫେରାଇ ଆଣିଥିଲେ ବୈଜୟନ୍ତ । ସାଲେପୁରରେ କଂଗ୍ରେସରୁ ପ୍ରକାଶ ବେହେରାଙ୍କୁ ନେଲେ । ଏ ସବୁ ସତ୍ୱେ ବୈଜୟନ୍ତ ହାରିଗଲେ । ଅର୍ଥାତ ଦଳ ହୃଦୟଙ୍ଗମ କରୁଛି ଓ ବିଜୟ ମଧ୍ୟ ଜାଣି ସାରିଛନ୍ତି, ବୈଜୟନ୍ତଙ୍କ ପାଖରେ ସେ ମ୍ୟାଜିକ୍ ନାହିଁ ।

ସୋସିିଆଲ ମିଡିଆ ଓ ଗଣମାଧ୍ୟମରେ ବୈଜୟନ୍ତଙ୍କ କ୍ରେଜ୍ ଅଛି ସତ କିନ୍ତୁ ପାଟକୁରାରେ ତାଙ୍କ ପ୍ରତି ସମର୍ଥନ ନାହିଁ । ଯାହା ଗଲା ଫଳାଫଳ କହି ସାରିଛି । ତେଣୁ ବିଜେପି ଓ ବିଜୟ ରିସ୍କ ନେବାକୁ ଚାହୁଁ ନାହାଁନ୍ତି ବୈଜୟନ୍ତଙ୍କୁ ପାଖରେ ରଖିକି । ଏ ପାଟକୁରାର ଚିତ୍ର ମଧ୍ୟ ରାଜ୍ୟ ବିଜେପିର ଅନେକ କଥା କହୁଛି । ଏବେ ଦଳର ଚେହେରା କିଏ ହେବ ବୋଲି ଭାରତୀୟ ଜନତା ପାର୍ଟିରେ ଯେଉଁ ତିନି ଚାରି ଜଣ ନେତାଙ୍କ ଭିତରେ ଟଣାଓଟରା ଚାଲିଛି । ସେ ଦୃଷ୍ଟିରୁ ଯଦି ବୈଜୟନ୍ତ ପଣ୍ଡାଙ୍କୁ ଏମପି ପ୍ରାର୍ଥୀ ଭାବରେ ସମସ୍ତ ଦାୟିତ୍ୱ, ଗୁରୁତ୍ୱ ଓ ନେତୃତ୍ୱ ଦିଆ ନଯାଏ ତେବେ ବୈଜୟନ୍ତଙ୍କର ଏହା ଆଉ ଏକ ବିଫଳତା ବୋଲି ଧରି ନେବାକୁ ପଡିବ ।

Related Posts