ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଜେପି ଯେତେ ଚେଷ୍ଟା କଲେ ମଧ୍ୟ କେବେ ମୁସଲମାନଙ୍କ ବିଶ୍ୱାସଭାଜନ ହୋଇପାରିବ ନାହିଁ। ମୁସଲମାନ ସମାଜ ତାଙ୍କୁ କେବେ ଭୋଟ୍ ଦେବେ ନାହିଁ। ସମାଜବାଦୀ ପାର୍ଟି ନେତା ତଥା ବିଧାୟକ ଇକବାଲ ମେହମୁଦ ଏପରି କହିଛନ୍ତି। ଲକ୍ଷ୍ନୋରେ ବିଜେପିର ମୁସଲିମ ସମ୍ମିଳନୀକୁ ନେଇ ଇକବାଲ କହିଛନ୍ତି ଯେ, ବିଜେପି ହେଉଛି ଇସଲାମର ସବୁଠୁ ବଡ଼ ବିରୋଧୀ। ଯିଏ ପ୍ରକୃତ ମୁସଲମାନ, ସେ କେବେ ବିଜେପିକୁ ଭୋଟ ଦେବେ ନାହିଁ। ମୁସଲିମମାନେ କେବେ ନାଥୁରାମ ଗୋଡସେକୁ ପୂଜା କରୁଥିବା ଦଳକୁ ବିଶ୍ୱାସ କରି ପାରିବେ ନାହିଁ।
ସପା ବିଧାୟକ ଅଭିଯୋଗ କରିଛନ୍ତି ଯେ, ବିଜେପି ଓ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଗଠନ (ଆରଏସଏସ) ମୁସଲମାନ ବିରୋଧୀ ସଂଗଠନ ଓ ସେମାନେ କଦାପି ମୁସଲମାନଙ୍କର ବିଶ୍ଵାସଭାଜନ ହୋଇପାରିବେ ନାହିଁ। ସେ କହିଛନ୍ତି ଯେ, ଯେଉଁମାନେ ମହାତ୍ମା ଗାନ୍ଧିଙ୍କୁ ହତ୍ୟା କରିଥିବା ନାଥୁରାମ ଗୋଡସେଙ୍କୁ ପୂଜା କରନ୍ତି, ସେମାନଙ୍କୁ ମୁସଲମାନମାନେ କଦାପି ବିଶ୍ୱାସ କରିପାରିବେ ନାହିଁ।
ଇକବାଲ ମହମୁଦ ହାଇଦ୍ରାବାଦ ସାଂସଦ ତଥା ମୁସଲିମ ନେତା ଅସଦୁଦ୍ଦିନ ଓୱାଇସିଙ୍କ ନେତୃତ୍ୱଧୀନ ଅଲ-ଇଣ୍ଡିଆ-ମଜଲିସ-ଇ-ଇତାହାଦୁଲ ମୁସଲିମ (ଏଆଇଏମଆଇଏମ) କୁ ବିଜେପିର ଏକ ‘ବି ଦଳ’ ବୋଲି ଅଭିହିତ କରିଛନ୍ତି। ଏଥିସହ ସପା ବିଧାୟକ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀଙ୍କୁ ସିବିଆଇ ଓ ଇଡି ଭଳି କେନ୍ଦ୍ରୀୟ ଏଜେନ୍ସିକୁ ଭୟ କରୁଥିବାର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ସେଥିପାଇଁ ସେ (ମାୟାବତୀ) କେବେ ବି ବିଜେପି ବିରୋଧରେ କିଛି କହି ନାହାଁନ୍ତି। ଇକବାଲ ଦାବି କରିଛନ୍ତି ଯେ ସମାଜବାଦୀ ପାର୍ଟି ହେଉଛି ଏକମାତ୍ର ଦଳ ଯିଏ ବିଜେପି ବିରୋଧରେ ଲଢେଇ କରୁଛି।
ସୂଚନା ଅନୁସାରେ, ଲକ୍ଷ୍ନୋ ରେ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ମୁସଲମାନ ସଂଗଠନ ଦ୍ୱାରା ମୁସଲମାନ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମୁସଲମାନମାନଙ୍କୁ ଆହ୍ୱାନ କରି କହିଥିଲେ ଯେ, ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି (ବସପା) ଓ କଂଗ୍ରେସ ଅନେକ ଥର ମୁସଲିମ ମାନଙ୍କ ଭୋଟ୍ ନେଇ କ୍ଷମତାକୁ ଆସିଛନ୍ତି, କିନ୍ତୁ ସେମାନେ ମୁସଲମାନମାନଙ୍କ ପାଇଁ କିଛି କରିନାହାଁନ୍ତି କି ସେମାନଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିନାହାଁନ୍ତି। ସେ ଆହୁରି କହିଥିଲେ ଯେ, ମୁସଲମାନମାନେ ଥରେ ବିଜେପି ଉପରେ ବିଶ୍ୱାସ କରିବା ଉଚିତ୍। ଯଦି ଆପଣ ମାନେ ଗୋଟିଏ ପାଦ ଆଗକୁ ବଢାଇବେ ତେବେ ବିଜେପି ୧୦ପାଦ ଆଗକୁ ବଢ଼ାଇବ ବୋଲି ସେ କହିଥିଲେ। ଏହାର ଜବାବ୍ ରେ ଇକବାଲ ମେହମୁଦ ଏହି ବୟାନ ଦେଇଛନ୍ତି।
