ମୁଲାୟମ ସିଂଙ୍କୁ କିଡନୀ ଦେବା ପାଇଁ ୩ ସପା କାଉନସିଲର ଅଖିଳେଶଙ୍କୁ ଲେଖିଲେ ଚିଠି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଛି। ସେ ଏବେ ଗୁରୁତର କିଡନୀ ସମସ୍ୟା ଦେଇ ଗତି କରୁଛନ୍ତି। ଏନେଇ ତାଙ୍କ ଶୁଭେଚ୍ଛୁମାନେ ସାରା ଦେଶରେ ପ୍ରାର୍ଥନା କରୁଛନ୍ତି । ସେ ଶୀଘ୍ର ସୁସ୍ଥ ହେବା ପାଇଁ ବରେଲିରେ ମଧ୍ୟ ଯଜ୍ଞ, ପୂଜା ପାଠ ଓ ମସଜିଦରେ ପ୍ରାର୍ଥନା କରାଯାଇଛି । ଏଭଳି ପରିସ୍ଥିତିରେ ବରେଲିର ତିନିଜଣ କାଉନସିଲର ସମାଜବାଦୀ ପାର୍ଟିର ଜାତୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଚିଠି ଲେଖି ମୁଲାୟମଙ୍କ ପାଇଁ ସେମାନଙ୍କ କିଡନୀ ଦାନ କରିବାକୁ ଘୋଷଣା କରିଛନ୍ତି । ସପା କାଉନସିଲରମାନେ ମେଦାନ୍ତା ହସ୍ପିଟାଲର ନିର୍ଦ୍ଦେଶକ ତଥା ଜାତୀୟ ଅଧ୍ୟକ୍ଷଙ୍କୁ ଚିଠି ଲେଖି ମୁଲାୟମ ସିଂ ଯାଦବଙ୍କଠାରେ କିଡନୀ ପ୍ରତିରୋପଣ କରିବା ପାଇଁ ଅନୁରୋଧ କରିଛନ୍ତି ।

ବରେଲି ସହରର ଶାସ୍ତ୍ରୀ ନାଗର ୱାର୍ଡ ନମ୍ବର ୪୯ ରୁ କାଉନସିଲର ଗୌରବ ସକ୍ସେନା, ୱାର୍ଡ ନମ୍ବର ୫୨ ର କାଉନସିଲର ଶ୍ୟାମ ଅହମ୍ମଦ ଓ ୱାର୍ଡ ନମ୍ବର ୧୫ର ସପା କାଉନସିଲର ରାଏସ ମିଆନ ଅବ୍ବାସି ସପା ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଚିଠି ଲେଖିଛନ୍ତି । ଏହି ତିନି କାଉନସିଲର କହିଛନ୍ତି ଯେ, ଖବରକାଗଜ ଓ ଟିଭି ଚ୍ୟାନେଲ ମାଧ୍ୟମରେ ସେମାନେ ମୁଲାୟମ ସିଂ ଯାଦବଙ୍କ ଅସୁସ୍ଥତା ସମ୍ପର୍କରେ ସୂଚନା ପାଇଛନ୍ତି । ତାଙ୍କ ନେତାଙ୍କ ଅସୁସ୍ଥତା ହେତୁ ସେ ଦୁଃଖିତ ଓ ତାଙ୍କ ନେତାଙ୍କ ପାଇଁ ସେମାନେ କିଡନୀ ଦାନ କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି । ତେବେ କେବଳ ସେତିକି ନୁହେଁ, ସପା କାଉନସିଲର ଗୌରବ ସକ୍ସେନା କହିଛନ୍ତି ଯେ, ସେ ଛାତ୍ର ଜୀବନରୁ ସମାଜବାଦୀ ପାର୍ଟି ସହ ଜଡିତ। ଯେବେଠାରୁ ନେତା ଜିଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାର ଖବର ଆସୁଛି, ସେ ନିଜେ କର୍ମୀଙ୍କ ସହି ଯଜ୍ଞ ପୂଜାପାଠ କରୁଛନ୍ତି ।

କିଡନୀ ଦାନ ନେଇ ଗୌରବ ସକ୍ସେନା କହିଛନ୍ତି ଯେ, ମୁଲାୟମ ସିଂ ଯାଦବ ତାଙ୍କ ଅଭିଭାବକଙ୍କ ପରି । ତାଙ୍କ ପାଇଁ କିଡନୀ ଦାନ କରିବା ଏକ ଗର୍ବର ବିଷୟ ହେବ । ଏଥିସହିତ ଅନ୍ୟ କାଉନସିଲରମାନେ କହିଛନ୍ତି ଯେ, ଗରିବ ଓ ଦଳିତଙ୍କ ସ୍ୱର ଉଠାଇବା କାମ ମୁଲାୟମ ସିଂ ଯାଦବ କରିଛନ୍ତି । ତେଣୁ ମୁଲାୟମ ସିଂ ଯାଦବଙ୍କ ପାଇଁ କିଡନୀ ଦାନ କରିବା ତାଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ ହେବ।

Related Posts