ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ୍‌ଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଗତକାଲି ପୁଲିସ୍‌ ଉଠାଇ ନେଇ ଗିରଫ କରିଥିବା ବେଳେ ତାଙ୍କୁ ଏବେ ଜେଲ୍‌ରେ ରଖା ଯାଇଛି। ବହୁଚର୍ଚ୍ଚିତ ହନିଟ୍ରାପ୍‌ ଦମ୍ପତି ଭାବେ ପରିଚିତ ହୋଇ ସାରିଥିବା ଜଗବନ୍ଧୁ ଓ ଅର୍ଚ୍ଚନା ଏବେ ଝାରପଡା ଜେଲରେ। ସେଠାରେ ଉଭୟ ପତିପତ୍ନୀଙ୍କ ମଧ୍ୟରେ ଦେଖାସାକ୍ଷାତର ପଥ ପୁଣି ଥରେ ପରିଷ୍କାର ହୋଇଯାଇଛି ବୋଲି ଚର୍ଚ୍ଚା ହେଉଛି।

ଜଗବନ୍ଧୁଙ୍କୁ ଗତକାଲି ପୁଲିସ୍‌ ଉଠାଇ ନେଇ ଗିରଫ କରିଥିବା ବେଳେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ତେଣୁ ୧୪ ଦିନ ପାଇଁ ତାଙ୍କୁ ଝାରପଡ଼ା ଜେଲ୍‌ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେଠାରେ ପୂର୍ବରୁ ରହି ଆସୁଛନ୍ତି ତାଙ୍କ ପତ୍ନୀ ଅର୍ଚ୍ଚନା ନାଗ। ଅର୍ଚ୍ଚନା ମହିଳା ୱାର୍ଡରେ ଥିବା ବେଳେ ଜଗବନ୍ଧୁଙ୍କୁ ପୁରୁଷ ୱାର୍ଡରେ ରଖାଯାଇଛି।

ତେବେ ଜେଲ୍ ମାନୁଆଲ ଅନୁଯାୟୀ, ଜେଲ୍‌ ରହଣୀ କାଳ ମଧ୍ୟରେ ଉଭୟ ପତି-ପତ୍ନୀଙ୍କ ଭେଟ ହୋଇପାରିବ। ସପ୍ତାହକୁ ଥରେ ଅର୍ଚ୍ଚନା-ଜଗବନ୍ଧୁ ପରସ୍ପରକୁ ଦେଖାସାକ୍ଷାତ କରିପାରିବେ। ଏଥିପାଇଁ ରବିବାର ଦିନ ଧାର୍ଯ୍ୟ କରାଯାଇଛି। ମହିଳା ୱାର୍ଡର ଏବଂ ପୁରୁଷ ୱାର୍ଡରଙ୍କ ଉପସ୍ଥିତିରେ ଅର୍ଚ୍ଚନା ଏବଂ ଜଗବନ୍ଧୁ ଦେଖାକରିପାରିବେ ବୋଲି ସୂଚନା ମିଳିଛି।

ହନିଟ୍ରାପ୍‌ରେ ଫସାଇ ହାଇ ପ୍ରୋଫାଇଲ ଲୋକଙ୍କୁ ବ୍ଲାକମେଲ୍‌ କରିବା ଅଭିଯୋଗରେ ପ୍ରାୟ ୨ ସପ୍ତାହ ପୂର୍ବେ ଅର୍ଚ୍ଚନା ନାଗଙ୍କୁ ଗିରଫ କରିଥିଲା ଖଣ୍ଡଗିରି ଥାନା ପୁଲିସ। ଅର୍ଚ୍ଚନାଙ୍କ ଭଳି ଜଗବନ୍ଧୁଙ୍କ ନାଁରେ ବି ସମାନ ଅଭିଯୋଗ ରହିଥିଲା। ଉଭୟଙ୍କ ନାଁରେ ପୀଡ଼ିତାଙ୍କୁ ଡରାଇବା, ବ୍ଲାକମେଲିଂ, ଦାଦାବଟି ଆଦାୟ ଆଦି ଅଭିଯୋଗ ରହିଥିଲା। ଅର୍ଚ୍ଚନାଙ୍କ କଳା କାରନାଗାରେ ଜଗବନ୍ଧୁଙ୍କ ସଂପୃକ୍ତି ନେଇ ଠୋସ୍ ପ୍ରମାଣ ପରେ ତାଙ୍କୁ ଗିରଫ କରାଯାଇଥିବା ଗତକାଲି ଡିସିପି କହିଥିଲେ।

ଜଗବନ୍ଧୁଙ୍କୁ ଗିରଫ ପରେ ତାଙ୍କ ଘରୁ ଏକ ଡାଏରୀ ସହ ୪ଟି ମୋବାଇଲ ଓ ଗୋଟିଏ ଲାପଟପ୍‌ ମଧ୍ୟ ଜବତ ହୋଇଛି। ତେବେ ଜବତ ଡାଏରୀରେ କାହା ନାଁ ରହିଛି ଏବଂ ତଦନ୍ତ ବେଳେ ତାହା ସାମ୍ନାକୁ ଆସିବ କି ନାହିଁ ତାକୁ ନେଇ ଲାଗିରହିଛି ସସପେନ୍ସ। ଜଗବନ୍ଧୁଙ୍କ ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ ଡାଏରୀ ଥିବା ବେଳେ ପୁଲିସ୍‌ ଅର୍ଚ୍ଚନାଙ୍କୁ ଗିରଫ କରିବା ପରେ ତାଙ୍କୁ କିପରି ବାହାରେ ବୁଲିବାକୁ ଛାଡ଼ି ଦେଇଥିଲା। ଏହା ମଧ୍ୟରେ ଡାଏରୀ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମଧ୍ୟ ସେ ନଷ୍ଟ କରି ଦେଇଥିବା ନେଇ ସସ୍‌ପେନ୍ସ ଦେଖାଦେଇଛି। ବର୍ତ୍ତମାନ ଅର୍ଚ୍ଚନା-ଜଗବନ୍ଧୁଙ୍କ ଆର୍ଥିକ କାରବାରର ଖୋଳତାଡ଼ ଚାଲିଛି। ଉଭୟଙ୍କ ଆକାଉଣ୍ଟ ଟ୍ରାନଜାକ୍ସନର ତଥ୍ୟ ଆରବିଆଇ କୁ ମଗାଯାଇଥିବା ଗତକାଲି ଭୁବନେଶ୍ୱର ଡିସିପି ସୂଚନା ଦେଇଥିଲେ ।