ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜାତୀୟ ରାଜପଥରେ ଅଭାବନୀୟ ଘଟଣା । ଏକ ମୃତ ଗାଈକୁ ଏନଏଚଏଆଇର ଗାଡି ଘୋଷାଡି ଘୋଷାଡି ନେଉଥିବାର ଘଟଣା ସାମ୍ନାକୁ ଆସିଛି। ତେବେ ଗାଈଟିକୁ ଗାଡ଼ି ପଛରେ ବାନ୍ଧି ଘୋଷାଡି ନେଉଥିବାର ଭିଡ଼ିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି।
ମିଳିଥିବା ସୂଚନା ଅନୁସାରେ, ଏକ ଅଜଣା ଗାଡି ଧକ୍କାରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଜାତୀୟ ରାଜପଥ ଉପରେ ଗାଈର ମୃତ୍ୟୁ ହୋଇଥିଲା । ଏହାପରେ ଏନଏଚଏଆଇ କର୍ତ୍ତୃପକ୍ଷରୁ ଏକ ପିକ୍ଅପ୍ ଭ୍ୟାନ୍( ଏପି୦୫ ଟିଏନ୍ ୧୨୫୫) ଗାଡିରେ ଏକ ଦୌଡ଼ିରେ ଗାଈର ଦୁଇଟି ପଛ ଗୋଡ଼କୁ ବାନ୍ଧି ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଇଥିଲା ।ଯାହାକି ଅତି ଘୃଣ୍ୟ କାମ ବୋଲି ଚର୍ଚ୍ଚା ହେଉଛି । ଏହି ଘଟଣାରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି ହୋଇଥିଲା।
ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆକ୍ସନ୍ ମୋଡ଼କୁ ଆସିଛନ୍ତି ଏନ୍ଏଚ୍ଆଇ କର୍ତ୍ତୃପକ୍ଷ। ଏହି ଘଟଣାରେ ଗାଡିର ସୁପରଭାଇଜର ଓ ଡ୍ରାଇଭରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦୁଇ ଜଣଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି। ଏଭଳି ନିନ୍ଦା ଜନକ କାର୍ଯ୍ୟ ପୁନରାବୃତ୍ତି ହେବନାହିଁ ବୋଲି ବ୍ରହ୍ମପୁର ଏନ୍ଏଚ୍ଆଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
