ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହେବେ ଭାରତୀୟ ବଂଶୋଦ୍ଭବ୍ ଋଷି ସୁନକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହେବେ ଋଷି ସୁନକ। ଗତକାଲି ସେ କଂଜଭେଟିଭ୍ ପାର୍ଟିର ଅନ୍ୟତମ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପେନି ମୋରଡାଉଣ୍ଟ୍ ପଛରେ ପକାଇ ବିଜୟ ହାସଲ କରିଛନ୍ତି। ରିଷି ସୁନକଙ୍କୁ ୧୮୦ରୁ ଅଧିକ ସାଂସଦଙ୍କ ସମର୍ଥନ ମିଳିଥିଲା। ଅପରପକ୍ଷେ ପେନି ମୋରଡାଉଣ୍ଟ୍ ବହୁତ ପଛରେ ଥିଲେ।ଫଳରେ ପେନି ପ୍ରଧାନମନ୍ତ୍ରୀ ଦୌଡ଼ରୁ ନିଜକୁ ପ୍ରତ୍ୟାହାର କରି ନେଇଥିଲେ। ତେବେ ବ୍ରିଟେନର ରାଜା ତୃତୀୟ ଚାର୍ଲସ୍‌ଙ୍କୁ ସାକ୍ଷାତ୍‌ କରିବା ପରେ ଋଷି ଆଜି ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହେବେ ବୋଲି ସୂଚନା ରହିଛି।

ସୂଚନାଯୋଗ୍ୟ ଯେ, ୪୫ ଦିନ ପର୍ଯ୍ୟନ୍ତ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ରହିଥିବା ଲିଜ୍‌ ଟ୍ରସ୍‌ ଇସ୍ତଫା ଦେବା ପରେ ପ୍ରଧାନମନ୍ତ୍ରୀ ପଦପାଇଁ ପୁଣି ଥରେ ନିର୍ବାଚନ କରାଯାଇଥିଲା। ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ ରିଷି ସୁନକଙ୍କ ସ୍ଥିତି ମଜବୁତ ଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ମଧ୍ୟ ପ୍ରଧାନମନ୍ତ୍ରୀ ଦୌଡ଼ରୁ ବାହାରି ଯିବା ପରେ ଋଷି ସୁନକ ବ୍ରିଟେନ୍‌ର ଆଗାମୀ ପ୍ରଧାନମନ୍ତ୍ରୀ ହେବାନେଇ ଏକ ପ୍ରକାର ନିର୍ଦ୍ଧାରିତ ହୋଇଥିଲା।

ତେବେ ଭାରତୀୟ ବଂଶୋଦ୍ଭବ୍ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇ ଇତିହାସ ସୃଷ୍ଟି କରିଛନ୍ତି। ସେ ହେଉଛନ୍ତି ପ୍ରଥମ ଭାରତୀୟ ମୂଳ ବ୍ୟକ୍ତି ଯିଏ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରେ ପହଞ୍ଚିଛନ୍ତି। କେବଳ ଏତିକି ନୁହେଁ, ଖ୍ରୀଷ୍ଟିଆନ ସଂଖ୍ୟାଗରିଷ୍ଠ ବ୍ରିଟେନର ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ ହେଉଛନ୍ତି ଋଷି ସୁନକ। ଭାରତୀୟ ବଂଶୋଦ୍ଭବ ସୁନକ ହେଉଛନ୍ତି ଇନଫୋସିସର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତୀଙ୍କ ଜ୍ୱାଇଁ । ଋଷି ସୁନକଙ୍କ ପିତାମାତା ପଞ୍ଜାବର ମୂଳ ବାସିନ୍ଦା । ପରେ ସେମାନେ ବ୍ରିଟେନରେ ବସବାସ କରିଥିଲେ । ଋଷିଙ୍କ ମା ଜଣେ ଫାର୍ମାସିଷ୍ଟ ଥିଲେ, ସେ ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ସେବା (ଏନଏଚଏସ) ରେ କାମ କରନ୍ତି।

Related Posts