ଚର୍ଚ୍ଚାରେ କର୍ଣ୍ଣାଟକର ମନ୍ତ୍ରୀ; ନିଜ ପ୍ରତିନିଧି ମାନଙ୍କୁ ଉପହାର ଦେଲେ ୧ ଲକ୍ଷ ଟଙ୍କା, ୧ କେଜି ରୂପା ସହ ୧୪୪ ଗ୍ରାମ ସୁନା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦୀପାବଳିକୁ ନେଇ ସାରା ଦେଶବାସୀ ଉତ୍ସାହିତ । ପରସ୍ପରକୁ ଆଜିର ଦିନରେ ଉପହାର ଦେଇ ସମସ୍ତେ ଖୁସି ବାଣ୍ଟିଚାଲିଛନ୍ତି । ସାଧାରଣ ଭାବେ ଆମେ ମିଠା କିମ୍ବା କପଡା ଉପହାର ଦେଇଥାଉ । କିନ୍ତୁ ଦୀପାବଳୀ ଅବସରରେ କିଛି ନିଆରା ଉପହାର ଦେଇ ଚର୍ଚ୍ଚାକୁ ଆସିଛନ୍ତି କର୍ଣ୍ଣାଟକ ପର୍ଯ୍ୟଟନ ମନ୍ତ୍ରୀ ଆନନ୍ଦ ସିଂ। ତାଙ୍କର ‘ମହଙ୍ଗା ଦୀପାବଳି ଉପହାର’ ଏବେ ଖୁବ୍ ଚର୍ଚ୍ଚାରେ ରହିଛି।

ଖବର ଅନୁଯାୟୀ, ହୋସାପେଟ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ସିଂ ତାଙ୍କ ନିର୍ବାଚନମଣ୍ଡଳୀରେ ନିର୍ବାଚିତ ପୌରପାଳିକା ଏବଂ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଦୀପାବଳି ଅବସରରେ ବହୁ ଉପହାର ଦେଇଥିଲେ। ଏହି ଉପହାରରେ ସୁନା, ରୂପା, ଟଙ୍କା ଭଳି ମହଙ୍ଗା ଜିନିଷ ରହିଛି। ଏହାକୁ ନେଇ ବର୍ତ୍ତମାନ ସେ ବିବାଦରେ ଘେରିହୋଇଛନ୍ତି ।

ମନ୍ତ୍ରୀ ଆନନ୍ଦ ସିଂହଙ୍କ ପକ୍ଷରୁ ଉପହାରର ଦୁଇଟି ଡବା ପ୍ରସ୍ତୁତ ହୋଇଥିଲା । ଗୋଟିଏ ଡବା ପୌରପାଳିକା ସଦସ୍ୟଙ୍କୁ ଏବଂ ଅନ୍ୟ ଡବା ପଞ୍ଚାୟତ ସଦସ୍ୟଙ୍କୁ ଦିଆଯାଇଛି । ପୌରପାଳିକା ସଦସ୍ୟଙ୍କ ଡବାରେ ଉପହାର ଭାବେ ଏକ ଲକ୍ଷ ଟଙ୍କା, ୧୪୪ ଗ୍ରାମ ସୁନା, ୧ କିଲୋଗ୍ରାମ ଓଜନର ରୂପା, ଶାଢୀ, ଧୋତି ଏବଂ ଡ୍ରାଏ ଫ୍ରୁଟ ରହିଛି । ସେହିଭଳି ଦ୍ୱିତୀୟ ଡବା ଯାହା ଗ୍ରାମପଞ୍ଚାୟତ ସଦସ୍ୟଙ୍କ ପାଇଁ ଯେଉଁଥିରେ ୧୪୪ ଗ୍ରାମ ସୁନା ବ୍ୟତୀତ ୧ କିଲୋଗ୍ରାମ ରୂପା, ଏକ ରେଶମ ଶାଢି, ଧୋତି ଏବଂ ଡ୍ରାଏ ଫ୍ରୁଟ ବାକ୍ସ ରହିଛି। ତେବେ ଏଭଳି ମହଙ୍ଗା ଉପହାର ଦେଖି କର୍ମୀ ମାନେ ଆଶ୍ଚର୍ଯ୍ୟ ହେବା ସହ ଉପହାର ପାଇ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି | ଅନ୍ୟପଟେ ମନ୍ତ୍ରୀଙ୍କ ଏଭଳି ମୂଲ୍ୟବାନ ଉପହାରକୁ ନେଇ ଏବେ ବିବାଦ ମଧ୍ୟ ଦେଖାଦେଇଛି |

Related Posts