ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ହାଇକୋର୍ଟରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମାମଲାର ଶୁଣାଣି ହୋଇଛି । ମାମଲାର ଶୁଣାଣି କରି ରାଜ୍ୟ ସଡକ ପରିବହନ ବିଭାଗକୁ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଡିସେମ୍ବର ମାସ ଶେଷ ପର୍ଯ୍ୟନ୍ତ ସ୍ଲଟ ଉପଲବ୍ଧ ଅଛି କି ନାହିଁ ତା ଉପରେ ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏସବୁ ଉପରେ ସତ୍ୟପାଠ ଦାଖଲ କରିବାକୁ ସଡକ ପରିବହନ ବିଭାଗକୁ କୁହାଯାଇଛି । ତେବେ ଆସନ୍ତା ଅକ୍ଟୋବର ୩୧ ପୂର୍ବାହ୍ନ ୧୦.୩୦ ରେ ମାମଲାର ପରବର୍ତି ଶୁଣାଣି ହେବ ବୋଲି କୋର୍ଟ ସମୟ ଧାର୍ଯ୍ୟ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ହାଇସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ଡିସେମ୍ବର ପର୍ଯ୍ୟନ୍ତ ସ୍ଲଟ ନଥିବା ନେଇ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ରାଜ୍ୟ ସରକାରଙ୍କୁ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଧିଷ୍ଟ ଭାବେ କୌଣସି ସମୟସୀମା ଦିଆ ଯାଇ ନଥିବା କୋର୍ଟଙ୍କୁ ଅବଗତ କରାଯାଇଛି। ଆଜି ଏହାର ଶୁଣାଣି କରି ଉଭୟ ପ୍ରସଙ୍ଗରେ ରାଜ୍ୟ ପରିଵହନ କମିଶନରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆସନ୍ତା ଅକ୍ଟୋବର ୩୧ ତାରିଖ ପୂର୍ବରୁ ଏ ନେଇ ସେ ଜବାବ ଦାଖଲ କରିବେ। ତେବେ ସେହିଦିନ ହିଁ ୧,୨,୩,୪ ସଂଖ୍ୟାରେ ଶେଷ ହେଉଥିବା ଗାଡ଼ି ନମ୍ବର ଗୁଡ଼ିକର ଏଚଏସଆରପି ଲଗାଇବାର ଅବଧି ଶେଷ ହେଉଛି।
