ଗାଜିଆବାଦରେ ଗାଡ଼ି ପାର୍କିଂକୁ ନେଇ ଯୁକ୍ତିତର୍କ ପରେ ଯୁବକଙ୍କ ମୁଣ୍ଡରେ ଇଟା ଛେଚି ହତ୍ୟା, ଭିଡ଼ିଓ ଭାଇରାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀର ଗାଜିଆବାଦ ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟ ବାହାରେ ଗାଡ଼ି ପାର୍କିଂକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ପରେ ମାରପିଟ ହେବାରୁ ଗତକାଲି (ମଙ୍ଗଳବାର) ରାତିରେ ଜଣେ ୩୫ ବର୍ଷିୟ ଯୁବକଙ୍କୁ ବିଚ୍‌ ରାସ୍ତା ଉପରେ ନିର୍ମମ ଭାବେ ଇଟାରେ ତାଙ୍କ ମୁଣ୍ଡକୁ ଛେଚି ହତ୍ୟା କରାଯାଇଛି। ଏହି ସମୟରେ ଜଣେ ପଥଚାରୀଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଏହି ଭୟଙ୍କର ଅପରାଧର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ମୃତ ବ୍ୟକ୍ତିଙ୍କ ନାମ ବରୁଣ, ତାଙ୍କ ବୟସ ୩୫ ହୋଇଥିବା ବେଳେ ସେ ହତ୍ୟାକାଣ୍ଡ ଘଟିଥିବା ରେଷ୍ଟୁରାଣ୍ଟ ନିକଟରେ ହିଁ ରହୁଥିଲେ ଏବଂ ସେଠାରେ ଦୁଗ୍ଧ ବ୍ୟବସାୟ ଚଳାଉଥିଲେ। ବରୁଣଙ୍କ ପିତା ଦିଲ୍ଲୀ ପୁଲିସର ଜଣେ ଅବସରପ୍ରାପ୍ତ କର୍ମଚାରୀ।

ତେବେ ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ବରୁଣ ଗତକାଲି ରାତିରେ ରେଷ୍ଟୁରାଣ୍ଟ ବାହାରେ ତାଙ୍କ କାର ପାର୍କିଂ କରିଥିଲେ। ତାଙ୍କ କାରଟି ଏପରି ଭାବରେ ପାର୍କିଂ କରାଯାଇଥିଲା ଯେ ଏହା ପାଖରେ ଥିବା ଗାଡିର ଡୋର ଖୋଲାଯାଇ ପାରୁ ନଥିଲା। ଏହାକୁ କେନ୍ଦ୍ର କରି ବରୁଣ ଏବଂ ଅନ୍ୟ ଏକ କାରରେ ଥିବା କିଛି ଯୁବକଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟ ପକ୍ଷଙ୍କ ମଧ୍ୟରେ ଏହା ହାତାହାତିରେ ପରିଣତ ହୋଇଥିଲା ଏବଂ ଏହାପରେ ବରୁଣଙ୍କ ଉପରେ ଅତି ନିର୍ମମ ଭାବରେ ଆକ୍ରମଣ କରାଯାଇଥିଲା।

ଭାଇରାଲ ହୋଇଥିବା ଏହି ଅପରାଧର ଭିଡିଓରେ ଦେଖିବାକୁ ମିଳିଛି ଯେ, ବରୁଣଙ୍କୁ ଆକ୍ରମଣ କରିଥିବା ଯୁବକମାନେ ତାଙ୍କୁ ଘେରି ଯାଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ଇଟାରେ ବରୁଣଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଏହି ଆକ୍ରମଣ ଘଟଣାରେ ଗୁରୁତର ହୋଇଥିବା ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ, ଡାକ୍ତରଖାନା ନିଆଯିବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।

ସର୍ବସାଧାରଣରେ ଏହି ହତ୍ୟାକାଣ୍ଡ ପରେ ଗାଜିଆବାଦରେ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ପୁଲିସର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଘଟଣାରେ ପୁଲିସ କହିଛି ଯେ, ଏନେଇ ଏକ ମାମଲା ରୁଜୁ ହୋଇଛି ଏବଂ ପୋଲିସର ପାଞ୍ଚଟି ଟିମ୍ ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ ଖୋଜୁଛନ୍ତି। ତେବେ ମୃତକଙ୍କ ସମ୍ପର୍କୀୟମାନେ ଏହି ଘଟଣାରେ ପୁଲିସର ନିଷ୍କ୍ରିୟତା ଅଭିଯୋଗ କରିବା ସହ ସ୍ଥାନୀୟ ପୁଲିସ ଷ୍ଟେସନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Related Posts