
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କମିସନରେଟ ପୁଲିସ ଗ୍ୟାଙ୍ଗଷ୍ଟର ସକିଲ ସମେତ ୧୧ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ କଟକ ସହରରୁ ତଡିପାର କରିବ। ସେଥିପାଇଁ କଟକ ଡିସିପି ପିନାକ ମିଶ୍ର ପୁଲିସ କମିସନରଙ୍କୁ ଜଣାଇଛନ୍ତି। ସମସ୍ତ ଅଭିଯୁକ୍ତ ନିଜ ପକ୍ଷ ରଖିବା ପରେ ସହର ଛାଡିବେ। ତେବେ ସମସ୍ତ ଅଭିଯୁକ୍ତ ଜେଲରୁ ମୁକୁଳିବା ପରେ ଏବେ ସହରରେ ଅଛନ୍ତି। ତେଣୁ ସେମାନଙ୍କୁ ସହରରୁ କାଢିବା ପାଇଁ ପୁଲିସ ପଦକ୍ଷେପ ନେଉଛି। କେବଳ ସକିଲ ନୁହେଁ, ସକିଲ ସହ ଆଉ ୧୧ ଅପରାଧୀ ମଧ୍ୟ ସହର ଛାଡିବେ। ଏଥିପାଇଁ ଡିସିପି ପୁଲିସ କମିସନରଙ୍କ ଅନୁମତି ମାଗିଛନ୍ତି।
ତେବେ ଗ୍ୟାଙ୍ଗଷ୍ଟର ସକିଲ ସହ ଏହି ତାଲିକାରେ ଡାନି ଓରଫ ଶଶିକାନ୍ତ ଖଣ୍ଡେଇ ଓ ମିଲନ ଲେଙ୍କା ଭଳି ଦୁର୍ଦ୍ଦାନ୍ତ ଅପରାଧୀ ମାନେ ରହିଛନ୍ତି। ଏହି ସବୁ ଅଭିଯୁକ୍ତଙ୍କ ନାମରେ ହତ୍ୟାକାଣ୍ଡ ଠାରୁ ଆରମ୍ଭ କରି ୧୦ରୁ ଊର୍ଦ୍ଧ୍ବ ଅପରାଧୀକ ମାମଲା ରହିଛି। ସମସ୍ତ ଅଭିଯୁକ୍ତଙ୍କୁ ତଡିପାର ନୋଟିସ ଜାରି ହୋଇଥିବା ବେଳେ ନିଜର ପକ୍ଷ ରଖିବାକୁ କୁହାଯାଇଛି।
ତଡିପାର ହେବାକୁ ଥିବା ସମସ୍ତ ଅଭିଯୁକ୍ତ ନିକଟରେ ଜେଲରୁ ମକୁଳିଛନ୍ତି। ଯେହେତୁ ସେମାନେ ସହରରେ ଅଛନ୍ତି। ଆଗକୁ ଅପରାଧ ଘଟାଇବାର ସମ୍ଭାବନା ରହିଛି। ତେଣୁ ସେମାନଙ୍କୁ ସହରରୁ ତଡିପାର ପାଇଁ ସୁପାରିସ କରାଯାଇଛି। କମିସନରେଟ ପୁଲିସର ପାର୍ବଣ ପାଇଁ ଚାଲୁଥିବା ସ୍ବତନ୍ତ୍ର ଡ୍ରାଇଭରେ ବିଭିନ୍ନ ଥାନା ଅଧିନର ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ତଡିପାର କରିବା ପାଇଁ ୧୧ ଜଣିଆ ତାଲିକା ପ୍ରସ୍ତୁତ କରିଛି କମିସନରେଟ ପୁଲିସ। ତେବେ ତଡିପାର ନିର୍ଦ୍ଦେଶ ପରେ ଅଭିଯୁକ୍ତମାନେ ସହର ଛାଡିବାକୁ ବାଧ୍ଯ ନହେଲେ ଆଇନ ଅନୁସାରେ ୱାରେଣ୍ଟ ବଳରେ ତାଙ୍କୁ ଗିରଫ କରାଯିବ ବୋଲି ଡିସିପି କହିଛନ୍ତି। ତଡିପାର ହେବାକୁ ଥିବା ୧୧ ଅପରାଧୀ ଆସନ୍ତା ୨୮ ତାରିଖରେ ନିଜର ପକ୍ଷ ରଖିବେ ବୋଲି ସୂଚନା ମିଳିଛି।