ନୂଆଦିଲ୍ଲୀ: ବିଶ୍ୱର ବ୍ୟସ୍ତବହୁଳ ବିମାନବନ୍ଦର ତାଲିକା ପ୍ରକାଶ ପାଇଛି । ତେବେ ଏହି ତାଲିକାରେ ଦେଶର ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ସ୍ଥାନ ପାଇଛି | ଖବର ଅନୁଯାୟୀ, ଅକ୍ଟୋବରରେ ବିଶ୍ୱର ଦଶମ ବ୍ୟସ୍ତବହୁଳ ବିମାନବନ୍ଦର ଭାବରେ ଦିଲ୍ଲୀ ବିମାନବନ୍ଦର ଉଭା ହୋଇଛି। ଭ୍ରମଣ ସମ୍ବନ୍ଧୀୟ ପରିସଂଖ୍ୟାନ ପ୍ରଦାନ କରୁଥିବା ଏକ ସଂସ୍ଥା ଅଫିସିଆଲ୍ ଏୟାରଲାଇନ୍ ଗାଇଡ୍ (OAG) ନିଜ ରିପୋର୍ଟରେ କହିଛି ଯେ କୋଭିଡ -୧୯ ମହାମାରୀ ପୂର୍ବରୁ ଅକ୍ଟୋବର ୨୦୧୯ରେ ଦିଲ୍ଲୀର ବିମାନବନ୍ଦର ବିଶ୍ୱର ବ୍ୟସ୍ତବହୁଳ ବିମାନବନ୍ଦର ତାଲିକାରେ ୧୪ତମ ସ୍ଥାନରେ ଥିଲା।
ଆଉ ଏବେ ଏହା ଉନ୍ନୀତ ହୋଇ ୧୦ ନମ୍ବର ସ୍ଥାନରେ ପହଞ୍ଚିଛି | ଅକ୍ଟୋବରରେ ଆମେରିକାର ହାର୍ଟସଫିଲ୍ଡ-ଜ୍ୟାକସନ ଆଟଲାଣ୍ଟା ଅନ୍ତର୍ଜାତୀୟ ବିମାନବନ୍ଦର ସବୁଠାରୁ ବ୍ୟସ୍ତବହୁଳ ବିମାନବନ୍ଦର ହୋଇଥିବାବେଳେ ଏହା ପରେ ଦୁବାଇ ଏବଂ ଟୋକିଓର ହାନେଡା ବିମାନବନ୍ଦର ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛି |
ଏହି ରିପୋର୍ଟରେ ଲଣ୍ଡନର ହେଥ୍ରୋ ବିମାନବନ୍ଦର ବର୍ତ୍ତମାନ ଷଷ୍ଠ ସ୍ଥାନରେ ରହିଛି।
ସୂଚନା ଥାଉ କି ଯେ ହେଥ୍ରୋ ବିମାନବନ୍ଦର ଦିନେ ଦୁନିଆର ସବୁଠୁ ବ୍ୟସ୍ତବହୁଳ ବିମାନବନ୍ଦର ଥିଲା | ଏହି ତାଲିକାରେ ଚିକାଗୋର ଓ’ହେର ଅନ୍ତର୍ଜାତୀୟ ବିମାନବନ୍ଦର ସପ୍ତମ ସ୍ଥାନରେ ଥିବାବେଳେ ଲସ୍ ଆଞ୍ଜେଲସ୍ ଆନ୍ତର୍ଜାତୀୟ ବିମାନବନ୍ଦର ନବମ ସ୍ଥାନରେ ରହିଛି। ଏହି ତାଲିକା ଅକ୍ଟୋବର ୨୦୧୯ ଓ ଅକ୍ଟୋବର ୨୦୨୨ ମଧ୍ୟରେ କେତେ ଲୋକ ଏହି ବିମାନବନ୍ଦର ଦେଇ ଯାତ୍ରା କରିଛନ୍ତି ତାହାକୁ ନେଇ ପ୍ରସ୍ତୁତ କରାଯାଇଛି | ଓ଼ଏଜି ଅନୁଯାୟୀ, ଡାଲାସ୍ / ଫୋର୍ଟ ୱର୍ଥ ବିମାନବନ୍ଦର ଦ୍ୱାଦଶରୁ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ଡେନଭର ବିମାନବନ୍ଦର ୨୦ ରୁ ୫ମ ସ୍ଥାନକୁ, ଇସ୍ତାନବୁଲ ବିମାନବନ୍ଦର ୧୩ରୁ ୮ମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି |





