ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜମ୍ମୁ-କାଶ୍ମୀରରେ ଦିନକୁ ଦିନ କାଶ୍ମୀର ପଣ୍ଡିତମାନଙ୍କୁ କରାଯାଉଥିବା ଟାର୍ଗେଟ୍ କିଲିଂର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍ଫରେନ୍ସ (ଏନ୍ସି) ନେତା ଫାରୁକ ଅବଦୁଲ୍ଲା। ଅବଦୁଲ୍ଲା କହିଛନ୍ତି ଯେ, ସରକାର ଏବେଠାରୁ ଯଦି ଟାର୍ଗେଟ୍ କିଲିଂକୁ ନେଇ ଉଚିତ୍ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ କାଶ୍ମୀର ହିନ୍ଦୁଶୂନ୍ୟ ହୋଇଯିବ।
ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତ୍କାର ଦେଇ ଅବଦୁଲ୍ଲା କହିଛନ୍ତି ଯେ, କାଶ୍ମୀର ପଣ୍ଡିତମାନଙ୍କ ପାଇଁ ଏବେ ୧୯୯୦ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ‘ମୁଁ ହତ୍ୟା ପାଇଁ ଦାୟୀ ନୁହେଁ’ ଏବଂ ‘ମୁଁ ଆତଙ୍କବାଦ ସପକ୍ଷରେ କୌଣସି ବିବୃତି ଦେଇନାହିଁ’ ବୋଲି କହିଛନ୍ତି ଫାରୁକ ଅବଦୁଲ୍ଲା। ସେ କହିଛନ୍ତି ଯେ, ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ହସ୍ତକ୍ଷେପ କରିବା ଦରକାର। କାଶ୍ମୀର ପଣ୍ଡିତଙ୍କ ଟାର୍ଗେଟ୍ କିଲିଂ ଏବଂ କାଶ୍ମୀରରୁ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଗଣପଳାୟନକୁ ରୋକିବା ପାଇଁ ଏକ ସର୍ବଦଳୀୟ ବୈଠକ ଡକାଯିବା ଉଚିତ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ନିକଟରେ ଚୌଧରୀଗୁଣ୍ଡ୍ ଅଞ୍ଚଳରେ କାଶ୍ମୀରୀ ପଣ୍ଡିତ ପୁରାଣ କ୍ରିଷ୍ଣ ଭଟ୍ଟଙ୍କ ହତ୍ୟା କରାଯାଇଥିଲା। ଏହାପରେ ଦକ୍ଷିଣ କାଶ୍ମୀରର ସୋପିଆନ ଅଞ୍ଚଳରୁ ୧୦ଟି କାଶ୍ମୀରୀ ପଣ୍ଡିତ ପରିବାର ପଳାୟନ କରିଛନ୍ତି।
ଗତବର୍ଷ ଅକ୍ଟୋବର ମାସରୁ ଏଠାରେ ଜମ୍ମୁ-କାଶ୍ମୀରରେ କାଶ୍ମୀରୀ ପଣ୍ଡିତ ଏବଂ ବାହାରୁ ଆସି ଶ୍ରମିକ ଭାବେ କାମ କରୁଥିବା ଅଣକାଶ୍ମୀରୀଙ୍କୁ ହତ୍ୟା କରାଯାଉଛି। ତେବେ କାଶ୍ମୀରୀ ପଣ୍ଡିତମାନଙ୍କ ପରିବାର ଅଞ୍ଚଳ ଛାଡ଼ି ପଳାଇବା ଖବରକୁ ସୋପିଆନ ପ୍ରଶାସନ ଅସ୍ବୀକାର କରିଛି। ଏଭଳି ଖବର ମିଥ୍ୟା, ଭିତ୍ତିହୀନ ଓ ଉଦ୍ଦେଶ୍ୟପ୍ରଣୋଦିତ ବୋଲି ସୋପିଆନ ଜନସମ୍ପର୍କ ଅଧିକାରୀ ପ୍ରକାଶ କରିଛନ୍ତି। ତେବେ ପୁରାଣ କ୍ରିଷ୍ଣଙ୍କ ଭାଇ ଅଶ୍ବିନୀକୁମାର ଭଟ୍ଟ କହିଛନ୍ତି, ସେ ଭାଇଙ୍କ ମୃତ୍ୟୁ ପରେ କାଶ୍ମୀର ଛାଡ଼ି ପଳାଇଛନ୍ତି ଏବଂ କେବେ ବି ଆଉ ଉପତ୍ୟକାକୁ ଫେରିବେ ନାହିଁ।
