ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜରାଟର ମୋରବିରେ ଝୁଲାପୋଲ ଦୁର୍ଘଟଣା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଥିତି ଅନୁଧ୍ୟାନ ପାଇଁ ସେଠାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୋରବିରେ ପହଞ୍ଚିବା ପରେ କିଛି ଫଟୋ ଏବେ ସାମ୍ନାକୁ ଆସିଛି। ଏହି ଫଟୋଗୁଡ଼ିକରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଦୁର୍ଘଟଣା ଘଟିଥିବା ସ୍ଥାନରେ ପହଞ୍ଚି ତଦାରଖ କରୁଥିବା ଦେଖାଯାଇଛି। ପ୍ରଧାନମନ୍ତ୍ରୀ ଝୁଲାପୋଲ ନିକଟକୁ ଯାଇ ସ୍ଥିତି ପରଖିଛନ୍ତି।
ମୋରବି ଝୁଲାପୋଲ ନିକଟରେ ତଦାରଖ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ମୋରବି ସିଭିଲ ହସ୍ପିଟାଲରେ ପହଞ୍ଚିଥିଲେ। ସିଭିଲ୍ ହସ୍ପିଟାଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି। ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଥିବା ବିଭିନ୍ନ ଟିମ୍ ଏବଂ ଅନ୍ୟମାନଙ୍କୁ ମଧ୍ୟ ଭେଟିଛନ୍ତି।
ତେବେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପୂର୍ବରୁ ମୋରବି ଝୁଲାପୋଲ ଉପରେ ଲାଗିଥିବା ଓରେଭାର ପୋଷ୍ଟର ଉପରେ ପରଦା ପକାଯାଇଥିଲା। ଏହା ବ୍ୟତୀତ ଅହମଦାବାଦରେ ଥିବା ଓରେଭା ଗ୍ରୁପର ଆବର ଫାର୍ମ ହାଉସରେ ମଧ୍ୟ ତାଲା ପକାଯାଇଥିଲା। ମୋରବି ଝୁଲାପୋଲ ଦୁର୍ଘଟଣାରେ ୧୪୧ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ବି ଅନେକ ନିଖୋଜ ଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ଏସବୁ ମଧ୍ୟରେ ମରାମତିର ଦାୟିତ୍ବ ନେଇଥିବା କମ୍ପାନି ସମସ୍ତଙ୍କ ଟାର୍ଗେଟକୁ ଆସିଛି। ଧାର୍ଯ୍ୟ ସମୟ ପୂର୍ବରୁ କମ୍ପାନି କାହିଁକି ଝୁଲାପୋଲ ଖୋଲିଥିଲା? ପୋଲର ମରାମତି ଠିକ ଭାବରେ କରାଯାଇଥିଲା କି ନାହିଁ? ସେ ପ୍ରଶ୍ନ ଏବେ ମୁଣ୍ଡ ଟେକିବାରେ ଲାଗିଛି।
