ଭୁବନେଶ୍ୱର ( ସତ୍ୟାପଠ ବ୍ୟୁରୋ ): ରାଗିଂକୁ ନେଇ ସମଗ୍ର ରାଜ୍ୟରେ ହଟଚମଟ ସୃଷ୍ଟି ହୋଇଥିବା ବେଳେ ଏହାକୁ ରୋକିବା ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ରାଜ୍ୟ ସରକାର କହୁଛନ୍ତି । ଏହାସତ୍ତ୍ୱେ ରାଜ୍ୟରେ ରାଗିଂ ଥମିବା ନାଁ ଧରୁନି। ଏବେ ଏପରି ଅଭିଯୋଗ ପୁରୀ ଜିଲ୍ଲା ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଆସିଛି। କଲେଜର ଯୁକ୍ତ ୩ ଦ୍ୱିତୀୟ ବର୍ଷ ଛାତ୍ରୀ ରୋଜାଲିନ ବିଶ୍ୱାଳ ଏପରି ସାଂଘାତିକ ଅଭିଯୋଗ ଆଣିଥିବା ବେଳେ ନ୍ୟାୟ ପାଇଁ ସେ ସ୍ଥାନୀୟ ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ରୋଜାଲିନ ବିଶ୍ୱାଳ କରିଥିବା ଅଭିଯୋଗ ଅନୁଯାୟୀ, କିଛି ସିନିୟର ଛାତ୍ରୀ ତାଙ୍କୁ ଗତ ପ୍ରାୟ ୩ ମାସ ହେଲା ରାଗିଂ କରୁଛନ୍ତି। ଏପରିକି ସାମାନ୍ୟ କଥାରେ ବସଉଠ କରୁଥିବା ବେଳେ ଖଟ ଉପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଛିଡ଼ା କରାଇ ଦିଅନ୍ତି। ତାଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦିଆଯାଉଥିବା ବେଳେ ତାଙ୍କ ଫୋନ ନମ୍ବରକୁ କିଛି ଅଜଣା ନମ୍ବରରୁ ଫୋନ୍ ଆସୁଛି। ଏପରିକି ଅପର ପାର୍ଶ୍ୱରୁ କିଛି ଯୁବକ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରାଯାଉଥିବା ମଧ୍ୟ ଅଭିଯୋଗ କରିଛନ୍ତି ଛାତ୍ରୀଜଣକ।ଏନେଇ ସେ ହଷ୍ଟେଲ ଓ୍ୱାର୍ଡେନକୁ ଜଣାଇଥିଲେ ମଧ୍ୟ ସେ ଏହାକୁ ଗୁରୁତର ସହ ଗ୍ରହଣ କଲେନି। ଏହାପରେ କଲେଜ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଏହି ଘଟଣା ଆଣିବାକୁ ସେ ବି କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଛାତ୍ରୀ ଜଣକ କହିଛନ୍ତି ।
ଶେଷରେ ଉତ୍କଳ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ ସଦସ୍ୟଙ୍କ ସହଯୋଗରେ ଛାତ୍ରୀଜଣକ ପରିବାର ଲୋକଙ୍କ ସହ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ଯାଇ ଭେଟିଛନ୍ତି । ସମସ୍ୟାର ସମାଧାନ ସହ ନ୍ୟାୟ ପ୍ରଦାନ କରିବାକୁ ମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଛନ୍ତି ସମ୍ପୃକ୍ତ ଛାତ୍ରୀ ।
ଅନ୍ୟପଟେ କଲେଜର ଅଧ୍ୟକ୍ଷ ଏନେଇ ଏକ ତଦନ୍ତ କମିଟି ଗଠନ କରିଥିବା ବେଳେ ଉକ୍ତ କମିଟି ନିଜ ରିପୋର୍ଟ ପ୍ରଦାନ କରିଛି। ପୁଲିସ୍ ତଦନ୍ତରୁ ସତ୍ୟାସତ୍ୟ ସାମ୍ନାକୁ ଆସିବା ସହ କଲେଜର ଶୈକ୍ଷିକ ବାତାବରଣ ଫେରିବା ବୋଲି କଲେଜ ପକ୍ଷରୁ କୁହାଯାଇଛି।
