ଭୁବନେଶ୍ଵର: ଓଡ଼ିଶା ରାଜନୀତିରେ ବଦଳିଲା ସମୀକରଣ। ଉପ ନିର୍ବାଚନରେ ମାଟି କାମୁଡିଛି ଶାସକ ବିଜୁ ଜନତା ଦଳ। ବହୁ ଚର୍ଚ୍ଚିତ ଭଦ୍ରକ ଜିଲ୍ଲାର ଧାମନଗର ଉପ ନିର୍ବାଚନରେ ବାଜି ମାରିଛି ବିଜେପି। ଦିବଙ୍ଗତ ନେତା ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସ୍ଥିତପଜ୍ଞ ସୂରଜ ବିଜୟ ହାସଲ କରିଛନ୍ତି। ସେ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୯,୮୦୨ ଭୋଟ୍ରେ ପରାସ୍ତ କରିଛନ୍ତି।
ସୂର୍ଯ୍ୟବଂଶୀ ସୂରଜଙ୍କୁ ୮୦,୦୯୦ଭୋଟ୍ ମିଳିଥିବା ବେଳେ ଅବନ୍ତୀଙ୍କୁ ମିଳିଛି ୭୦,୨୮୮ ଭୋଟ୍। ତୃତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ ୩,୫୩୩ ଭୋଟ୍ ମିଳିଛି। ଏଠାରେ ଟର୍ଣ୍ଣିଂ ସାବ୍ୟସ୍ତ ହୋଇଛନ୍ତି ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ର ଦାସ। ସେ ୮,୧୨୨ଭୋଟ୍ ହାତେଇଛନ୍ତି। ଯାହା ବିଜେଡି ପାଇଁ ମହଙ୍ଗା ପଡିଛି। ଉଲ୍ଲେଖନୀୟ, ନିକଟ ଅତୀତରେ ଯେତେ ସବୁ ଉପ ନିର୍ବାଚନ ହୋଇଛି ସବୁଥିରେ ବିଜେଡି ଜିତିବାରେ ସଫଳ ହୋଇଥିଲା। ପ୍ରଥମ ଥର ଶାସକ ଦଳକୁ ପରାଜୟର ସ୍ଵାଦ ଚାଖିବାକୁ ପଡିଛି। ୨୦୧୯ ବିଧାନସଭାରେ ସୂର୍ଯ୍ୟଙ୍କ ବାପା ବିଷ୍ଣୁ ସେଠୀ ଧାମନଗର ଆସନରୁ ବିଜୟ ହାସଲ କରିଥିଲେ।
ଭୋଟ ଗଣତିର ଆରମ୍ଭରୁ ବିଜେପି ପ୍ରାର୍ଥୀ ଆଗରେ ରହିଆସିଥିଲେ । ବିଜେପି ପ୍ରାର୍ଥୀ ପ୍ରାଥମିକ ପର୍ଯ୍ୟାୟରେ ୪୭୪୯ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୩୯୮୦ ଖଣ୍ଡ ଭୋଟ ପାଇଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ୨୧୬ ଖଣ୍ଡ ଭୋଟ ପାଇଥିବା ବେଳେ ଅନ୍ୟାନ୍ୟ ୪୦୦ ଖଣ୍ଡ ଭୋଟ ପାଇଥିଲେ । ଦ୍ୱିତୀୟ ପର୍ଯ୍ୟାୟର ଶେଷ ସୁଦ୍ଧା ବିଜେପି ଆଗରେ ରହିଥିବା ବେଳେ ତୃତୀୟ ରାଉଣ୍ଡ ଭୋଟ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୨୦୩୩ ଖଣ୍ଡ ଭୋଟରେ ଆଗୁଆ ରହିଥିଲେ ।
ସେହିପରି ଚତୁର୍ଥ ରାଉଣ୍ଡରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୩୧୬୧ ଖଣ୍ଡ ଭୋଟରେ ଆଗୁଆ ରହିଥିବା ବେଳେ, ୫ମ ରାଉଣ୍ଡରେ ୩୫୭୨ ଖଣ୍ଡ ଭୋଟ, ୬ଷ୍ଠ ରାଉଣ୍ଡ୍ରେ ୪୩୯୨ ଖଣ୍ଡ ଭୋଟ, ସପ୍ତମ ରାଉଣ୍ଡରେ ୫୨୦୦ ଖଣ୍ଡ ଭୋଟ, ୮ମ ରାଉଣ୍ଡ୍ରେ ୫୯୯୧ ଖଣ୍ଡ ଭୋଟ, ୯ମ ରାଉଣ୍ଡ୍ରେ ୫୨୬୫ ଖଣ୍ଡ ଭୋଟ ଏବଂ ଦଶମ ରାଉଣ୍ଡ୍ରେ ମଧ୍ୟ ବିଜେଡିକୁ ପଛରେ ପକାଇ ଦେଇଥିଲେ ।
ବିଜୟ ପଥରେ ଅଗ୍ରସର ହେଉଥିବା ବିଜେପି ପ୍ରାର୍ଥୀ ୧୧ତମ ରାଉଣ୍ଡ୍ରେ ୫୩୧୦ ଖଣ୍ଡ ଭୋଟରେ ଆଗୁଆ ରହିବା ସହ ୧୨ ତମ ରାଉଣ୍ଡ୍ରେ ୬୨୧୪ ଖଣ୍ଡ ଭୋଟରେ ଆଗୁଆ, ୧୩ତମ ରାଉଣ୍ଡ୍ରେ ୬୭୫୫ ଖଣ୍ଡ ଭୋଟରେ ଆଗୁଆ, ୧୪ତମ ରାଉଣ୍ଡ୍ରେ ୭୬୬୧ ଖଣ୍ଡ ଭୋଟରେ ଆଗୁଆ, ୧୫ତମ ରାଉଣ୍ଡ୍ରେ ୭୬୬୩ ଖଣ୍ଡ ଭୋଟରେ ଆଗୁଆ, ୧୬ ତମ ରାଉଣ୍ଡ୍ରେ ୭୯୯୦ ଖଣ୍ଡ ଭୋଟରେ ଆଗୁଆ, ୧୭ତମ ରାଉଣ୍ଡ୍ରେ ୮୮୨୫ ଖଣ୍ଡ ଭୋଟରେ ଆଗୁଆ ରହିଥିଲେ ସୂର୍ଯ୍ୟବଂଶୀ ସୂରଜ ।





