ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ବରସୁଆଁ ତଳବଜାରରେ ଥିବା ଘରୋଇ କମ୍ପାନି ‘ଜିନ୍ଦଲ’ର ଲୋଜିଷ୍ଟିକ ମ୍ୟାନେଜର ହତ୍ୟା ଘଟଣାର ସତ୍ୟାସତ୍ୟ ଉନ୍ମୋଚନ କରିଛି ପୁଲିସ। ଗତ ୭ ତାରିଖରେ ଘରୋଇ କମ୍ପାନିର ମ୍ୟାନେଜରଙ୍କୁ ବାରସୁଆଁ ଗେଷ୍ଟ ହାଉସ ଭିତରେ ବିଳମ୍ବିତ ରାତ୍ରିରେ ପଶି ହତ୍ୟା କରାଯାଇଥିଲା। ସକାଳୁ ପୁଲିସ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ହତ୍ୟାର ଶିକାର ହେଇଥିବା ମୋତି ରାମ ଦୀର୍ଘ ପାଞ୍ଚ ବର୍ଷ ହେବ କମ୍ପାନିର ଲୋଜିଷ୍ଟିକ ମ୍ୟାନେଜର ଭାବେ କାମ କରୁଥିଲେ।
ତେବେ ଏହି ଘଟଣାରେ ଲହୁଣୀପଡା ପୁଲିସ ସହିତ ବଣାଇ ଏସଡିପିଓ ତଦନ୍ତ ଆରମ୍ଭ କରିବା ପରେ ନଜରକୁ ଆସିଥିଲା ମୋତି ରାମଙ୍କ ରୋଷେୟା ସୁନୀଲ ତ୍ରିପାଠୀ। ତଦନ୍ତରୁ ଜଣାପଡ଼ିଛି ଯେ, ମ୍ୟାନେଜର ମୋତି ରାମ କିଛି ମାସ ହେଲା ସୁନୀଲକୁ ମାନସିକ ଚାପ ଦେଇ ଆସୁଥିଲେ ଏବଂ ଚାକିରିରୁ ବାହାର କରିବାକୁ ଧମକ ଦେଉଥିଲେ। ଏଥିପାଇଁ ସୁନୀଲ ଗତ ୬ତାରିଖ ଦିନ ମୁହଁ ଲୁଚାଇ ଅଜଣା ବ୍ୟକ୍ତି ହେଇ ମୋତି ରାମଙ୍କ ଗୋଡ଼ ହାତ ଭାଙ୍ଗିବାପାଇଁ ଯୋଜନା କରିଥିଲା। ଘଟଣା ରାତିରେ ସୁନୀଲ ଓ ମୋତି ରାମଙ୍କ ଭିତରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ଫଳରେ ମୋତି ରାମ ସୁନୀଲର ଚେହେରା ଦେଖିପକାଇଥିଲେ। ତେଣୁ ସୁନୀଲ ତାଙ୍କୁ ଜୀବନରୁ ମାରି ଦେବା ପାଇଁ ମନସ୍ଥ କରି ଧାରୁଆ ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲା ଓ ତାଙ୍କୁ ହତ୍ୟା କରିଥିଲା।
ତେବେ ତଦନ୍ତ ସମୟରେ ଘଟଣାସ୍ଥଳରେ ପୁଲିସକୁ ଏକ ମୁଦି ମିଳିବାରୁ ସନ୍ଦେହରେ ପୁଲିସ୍ ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା ଓ ପରେ ହତ୍ୟାକାରୀ ସୁନୀଲ ସବୁ ସତ କଥା କହିଥିଲା। ଏହାପରେ ତାକୁ ଗିରଫ କରାଯାଇଛି।
