ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ପୁଞ୍ଚ୍ ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଅଞ୍ଚଳର ମାନକୋଟେ ସେକ୍ଟର୍ରେ ଘଟିଛି ଏକ ଅଘଟଣ । ନିଜ ବନ୍ଧୁକରୁ ଆକସ୍ମିକ ଭାବେ ଗୁଳି ଫୁଟିବାରୁ ଜଣେ ଯବାନଙ୍କର ମୃତ୍ୟୁ ଘଟିଥିବା କଥା ସେନା ଅଧିକାରୀମାନେ କହିଛନ୍ତି।
ମୃତ ଯବାନଜଣଙ୍କ ହେଉଛନ୍ତି ଭାରତୀୟ ସେନାର ଯବାନ ତଥା ତାମିଲନାଡୁର ଗୁଡ଼ାଲୁର୍ ଗ୍ରାମବାସୀ ୨୭ ବର୍ଷିୟ ଈଶ୍ବରନ୍ ଆର୍।
ଜଣେ ପୁଲିସ ଅଧିକାରୀ କହିଛନ୍ତି, ସମ୍ପ୍ରତି ଯବାନଜଣକ ୩୭ ରାଷ୍ଟ୍ରୀୟ ରାଇଫଲ୍ରେ ନିଯୁକ୍ତ ହୋଇଥିଲେ। ଆକସ୍ମିକ ଭାବେ ତାଙ୍କ ସର୍ଭିସ୍ ରାଇଫଲ୍ ଫୁଟିବାରୁ ଗୁଳି ଚୋଟରେ ସେ ସାଙ୍ଘାତିକ ଆହତ ହୋଇଥିଲେ।
ଚିକିତ୍ସା ନିମନ୍ତେ ଈଶ୍ବରନ୍ଙ୍କୁ ତୁରନ୍ତ ମେନ୍ଧର୍ରେ ଥିବା ସବ୍-ଡିଷ୍ଟ୍ରିକ୍ଟ୍ ହସ୍ପିଟାଲ୍କୁ ନିଆଯାଇଥିଲା, କିନ୍ତୁ ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ ଘୋଷଣା କରିଥିଲେ। ବ୍ୟବଚ୍ଛେଦ ପରେ ତାଙ୍କ ଶବ ସେନାକୁ ହସ୍ତାନ୍ତର କରାଯାଇଛି।
ଏହି ଘଟଣାରେ ପୁଲିସ ‘ସିଆର୍ପିସି’ର ଧାରା ୧୭୪ ଅନୁସାରେ ତଦନ୍ତ ଆରମ୍ଭ କରିଥିବା ବେଳେ ସେନା ମଧ୍ୟ ‘କୋର୍ଟ ଅଫ୍ ଇନ୍କ୍ବାରି’ ଆରମ୍ଭ କରିଛି





