ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଏଣିକି ନେପାଳ ଯିବାକୁ ହେଲେ ଦରକାର ପଡ଼ିପାରେ ବାୟୋମେଟ୍ରିକ୍ ପରିଚୟପତ୍ର। ଏନେଇ ନେପାଳ ପକ୍ଷରୁ ଆସିଛି ଏକ ବଡ଼ ପ୍ରସ୍ତାବ। ଭାରତ ଓ ନେପାଳ ମଧ୍ୟରେ ସୀମା ପାର ଯାତାୟାତକୁ ଆହୁରି ସହଜ କରିବା ପାଇଁ ଏଭଳି ପ୍ରସ୍ତାବ ଦେଇଛି ନେପାଳ। ପାସପୋର୍ଟ ଓ ନାଗରିକତା ପ୍ରମାଣପତ୍ର ସହିତ ବାୟୋମେଟ୍ରିକ୍ ନ୍ୟାସନାଲ୍ ଆଇଡେଣ୍ଟିଟି କାର୍ଡକୁ ମଧ୍ୟ ଯାତ୍ରା ଦସ୍ତାବିଜ ଭାବେ ସ୍ୱୀକୃତି ଦେବାକୁ ଭାରତକୁ ଅନୁରୋଧ କରିଛି ନେପାଳ। ନେପାଳ ସରକାର ଔପଚାରିକ ଭାବେ ଭାରତକୁ ଅନୁରୋଧ କରିଛି ଯେ, ବାୟୋମେଟ୍ରିକ୍ ନ୍ୟାସନାଲ୍ ଆଇଡେଣ୍ଟିଟି କାର୍ଡକୁ ସୀମା ପାର ଯାତ୍ରା ପାଇଁ ବୈଧ ପରିଚୟପତ୍ର ଭାବେ ସ୍ୱୀକୃତି ଦିଆଯାଉ। ବର୍ତ୍ତମାନ ନେପାଳୀ ନାଗରିକମାନେ ଭାରତକୁ ଆସିବାବେଳେ ପାସପୋର୍ଟ କିମ୍ବା ମୂଳ ନାଗରିକତା ପ୍ରମାଣପତ୍ର ଦେଖାଇବାକୁ ପଡ଼ୁଛି। ନେପାଳର ଏହି ବାୟୋମେଟ୍ରିକ୍ ପରିଚୟପତ୍ରରେ ଫିଙ୍ଗରପ୍ରିଣ୍ଟ, ମୁହଁର ଛବି ଓ ଆଇରିସ୍ ସ୍କାନ୍ ଭଳି ଉନ୍ନତ ସୁରକ୍ଷା ବ୍ୟବସ୍ଥା ରହିଛି। ଏପର୍ଯ୍ୟନ୍ତ ୪୫ ଲକ୍ଷରୁ ଅଧିକ ନାଗରିକଙ୍କୁ ଏହି କାର୍ଡ ଦିଆଯାଇଥିବା ବେଳେ ପ୍ରାୟ ୨ କୋଟି ଲୋକ ଆବେଦନ କରିଛନ୍ତି। ନେପାଳ ସରକାର ଭବିଷ୍ୟତରେ ନାଗରିକତା ପ୍ରମାଣପତ୍ର ବଦଳରେ ଏହି ଏକକ ବାୟୋମେଟ୍ରିକ୍ ପରିଚୟପତ୍ର ବ୍ୟବହାର କରିବାକୁ ଯୋଜନା କରିଛି। ବ୍ୟାଙ୍କିଂ, ଜମି ପଞ୍ଜୀକରଣ, ପାସପୋର୍ଟ ଓ ସରକାରୀ ସେବା ପାଇଁ ମଧ୍ୟ ଏହି କାର୍ଡକୁ ବାଧ୍ୟତାମୂଳକ କରାଯାଉଛି। ଏହି ପ୍ରସ୍ତାବକୁ ନେଇ ଭାରତୀୟ ଦୂତାବାସର ଏକ ପ୍ରତିନିଧି ଦଳ ନେପାଳର ଇମିଗ୍ରେସନ୍ ବିଭାଗ ସହ ଆଲୋଚନା କରିଛି। ନେପାଳ ସରକାର କହିଛି, ପ୍ରସ୍ତାବଟିକୁ ଭାରତ ସରକାରଙ୍କ ବିଚାର ପାଇଁ ନୂଆଦିଲ୍ଲୀକୁ ପଠାଯାଇଛି। ଏହା ଉପରେ ଭାରତର ନିଷ୍ପତ୍ତି ପରେ ଦୁଇ ଦେଶ ମଧ୍ୟରେ ଯାତାୟାତ ବ୍ୟବସ୍ଥାରେ ନୂଆ ପରିବର୍ତ୍ତନ ଆସିପାରେ।
