ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରୋଚକ ହେଉଛି ପଦ୍ମପୁର ରାଜନୀତି। ପଦ୍ମପୁର ଉପନିର୍ବାଚନ ପାଇଁ ବର୍ତ୍ତମାନ ରାଜନୈତିକ ମହଲ ସରଗରମ ରହିଥିବା ବେଳେ ଆଜି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ତାଙ୍କର ନାମାନଙ୍କ ପତ୍ର ଭରିବାକୁ ଯାଇ ନାମାଙ୍କନ ନ ଭରି ଫେରି ଆସିଛନ୍ତି । ଏକ ବିଶାଳ ଶୋଭାଯାତ୍ରାରେ ନାମାଙ୍କନ ପତ୍ର ଭରିବାକୁ ବାହାରିଥିବା ପ୍ରଦୀପ ପୁରୋହିତ ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ରୁ ଫେରି ଆସିଛନ୍ତି ।
ତେବେ ଆଜି ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପ୍ରଦୀପ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଥାନ୍ତେ। ଏଥିପାଇଁ ସେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ବିଜେପିର ନେତୃମଣ୍ଡଳୀଙ୍କ ସହିତ ଏକ ବିରାଟ ପଟୁଆରରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। କିନ୍ତୁ ପ୍ରଦୀପ ନାମାଙ୍କନ ଦାଖଲ ନ କରି ସେଠାରୁ ଫେରି ଆସିଛନ୍ତି। ରାଜ୍ୟ ସରକାର ଚାଷୀ ମାନଙ୍କ କଥା ନ ଶୁଣୁଥିବାରୁ ସେ ନାମାଙ୍କନ ନ ଭରି ଫେରି ଆସିଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଆଜି ସଦଳ ବଳେ ପ୍ରଦୀପ ପୁରୋହିତ ନାମାଙ୍କନ ଦାଖଲ କରିବାକୁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ହେଲେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସରକାରଙ୍କ ଅବହେଳାକୁ ନେଇ ଧାରଣାରେ ବସିଥିବା ଚାଷୀ ମାନେ ପ୍ରଦୀପଙ୍କୁ ନାମାଙ୍କନ ନ ଭରିବାକୁ ଅନୁରୋଧ କରିଥିଲେ। ଏହାପରେ ଚାଷୀ ମାନଙ୍କ ଦାବିକୁ ସମର୍ଥନ ଜଣାଇ ପ୍ରଦୀପ ସେଠାରୁ ନାମାଙ୍କନ ନ ଭରି ଫେରି ଆସିଛନ୍ତି।
ସୂଚନାଯୋଗ୍ୟ ଯେ, ଚାଷୀ ମାନଙ୍କୁ ସରକାର ଅବହେଳା କରୁଥିବା ଅଭିଯୋଗରେ ପଦ୍ମପୁର ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଚାଷୀ ମାନେ ଦୀର୍ଘଦିନ ଧରି ଧର୍ମଘଟରେ ବସିଛନ୍ତି। ଏହାସହିତ ତାଙ୍କର ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ ସମସ୍ତ ପ୍ରାର୍ଥୀଙ୍କୁ ନିର୍ବାଚନ ପ୍ରକ୍ରିୟାରେ ଅଂଶ ଗ୍ରହଣ ନ କରିବାକୁ ଅନୁରୋଧ କରିଛନ୍ତି। ଚାଷୀଙ୍କ ଅନୁରୋଧ ରକ୍ଷା ନକରି ନାମାଙ୍କନ ଦାଖଲ କଲେ ସଂପୃକ୍ତ ପ୍ରାର୍ଥୀଙ୍କୁ ଚାଷୀ ମାନେ ବିରୋଧ କରିବେ ବୋଲି କହିଛନ୍ତି।