ଭୁବନେଶ୍ବର ( ସତ୍ୟପାଠ ବ୍ୟୁରୋ ): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବାୟୋପିକ୍ ‘ମେ ରହୁ ୟା ନା ରହୁଁ ୟେ ଦେଶ ରହେନା ଚାହିଁୟେ-ଅଟଳ’ରେ ଲୋକପ୍ରିୟ ଅଭିନେତା ପଙ୍କଜ ତ୍ରିପାଠୀ ବାଜପେୟୀଙ୍କ ଭୂମିକାରେ ଅଭିନୟ କରିବେ। ଏହି ଫିଲ୍ମଟି ଆସନ୍ତାବର୍ଷ ଖ୍ରୀଷ୍ଟମାସରେ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି। ତେବେ ଗତ ଜୁନ୍ ୨୮ ତାରିଖରେ ବାଜପେୟୀଙ୍କ ବାୟୋପିକ୍କୁ ନେଇ ଘୋଷଣା କରାଯାଇଥିଲା।
ସେହି ଦିନଠାରୁ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ କିଏ ଅଭିନୟ କରିବେ ତାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇଥିଲା। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ରବି ଯାଦବ। ବାୟୋପିକ୍କୁ ନେଇ ପଙ୍କଜ ତ୍ରିପାଠୀ କହିଛନ୍ତି ଯେ, ଏଭଳି ରାଜନେତାଙ୍କୁ ପରଦାରେ ଚିତ୍ରଣ କରିବା ମୋର ଗୌରବର ବିଷୟ। ସେ କେବଳ ଜଣେ ରାଜନେତା ନୁହଁନ୍ତି ବରଂ ସେ ଜଣେ ଉତ୍ତମ ଲେଖକ ତଥା ପ୍ରଖ୍ୟାତ କବି ଥିଲେ। ତାଙ୍କ ବାୟୋପିକ୍ରେ କାମ କରିବା ମୋ ଭଳି ଜଣେ ଅଭିନେତାଙ୍କ ପାଇଁ ସୌଭାଗ୍ୟ ଛଡା ଆଉ କିଛି ନୁହେଁ।
ସୂଚନାଯୋଗ୍ୟ ଯେ, ଅଟଳ ବିହାରୀ ବାଜପେୟୀ ୧୯୯୬ରେ ପ୍ରଥମଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ। ପରବର୍ତ୍ତୀ ସମୟରେ ସଂସଦରେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଭାଜପା ଅସମର୍ଥ ହୋଇଥିଲା। ଫଳରେ ବାଜପେୟୀଙ୍କୁ ୧୩ ଦିନ ମଧ୍ୟରେ ଇସ୍ତଫା ଦେବାକୁ ପଡିଥିଲାା। ଏହାପରେ ସେ ଦ୍ୱିତୀୟ ଏବଂ ତୃତୀୟ ଥର ପାଇଁ ପୁଣି ୧୯୯୮ ଏବଂ ୧୯୯୯ରେ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ। ୨୦୧୮ ଅଗଷ୍ଟ ୧୬ରେ ୯୩ ବର୍ଷ ବୟସରେ ଏହି ମହାନ୍ ଜନନାୟକଙ୍କ ଦେହାନ୍ତ ହୋଇଥିଲା।
