ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତା ଡ଼ିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପର୍ଯ୍ୟଟନ ବିଭାଗ ଓ ଓଟିଡିସି ପକ୍ଷରୁ ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ ସଂଗୀତ, ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା କଳା ପ୍ରଦର୍ଶନୀ ଆୟୋଜିତ ହେବ । ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ଓଡିଶା ସଂଗୀତ ନାଟକ ଏକାଡେମୀ ସଭାପତି ଅରୁଣା ମହାନ୍ତି, ପର୍ଯ୍ୟଟନ ବିଭାଗ ସହ ନିର୍ଦେଶକ ବିଶ୍ୱଜିତ ରାଉତରାୟ, ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ I

ତେବେ ଏହି ଉତ୍ସବରେ ପ୍ରତି ସନ୍ଧ୍ୟା ୬ଟା ରୁ ମୁକ୍ତାକାଶ ରଙ୍ଗମଞ୍ଚରେ ଓଡିଶୀ, କୁଚିପୁଡ଼ି, କଥକ, ମଣିପୁରୀ, ଭାରତନାଟ୍ୟମ ନୃତ୍ୟ ପ୍ରଦର୍ଶନ ହେବ I ଚନ୍ଦ୍ରଭାଗା ବେଳାଭୂମିରେ ସକାଳ ୯ରୁ ରାତି ୯ପର୍ଯ୍ୟନ୍ତ ବାଲୁକା କଳା ପ୍ରଦର୍ଶନ ହେବ I ସେହିଭଳି ହେଲିପ୍ୟାଡ଼ରେ ମୀନାବଜାର ଓ ଅପେରା ପାର୍ଟି ପଡିବ I ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସୂଚରୁରୂପେ କାର୍ଯ୍ୟ ତୁଲାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା I ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, ଅମୀୟ ସେଠି,ଅତିରିକ୍ତ ଏସପି ପୁର୍ଣଚନ୍ଦ୍ର ପ୍ରଧାନ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।