ନୂଆଦିଲ୍ଲୀ: ତିହାର ଜେଲ୍‌ରୁ ଆପ୍ ମନ୍ତ୍ରୀ ସତୈନ୍ଦ୍ର ଜୈନ୍‌ଙ୍କର ମସାଜ ଫଟୋ ସାମ୍ନାକୁ ଆସିବା ପରେ ଆରମ୍ଭ ହୋଇଯାଇଛି ରାଜନୀତି । ବିଜେପି-ଆପ୍ ମୁହାଁମୁହିଁ ହୋଇଛନ୍ତି। ପରପ୍ପର ଉପରେ ଦୋଷ ଲଦାଲଦି ଚାଲିଛି। ଏହାରି ଭିତରେ ବିଜେପି ଆଉ ପାଦେ ଆଗେଇ ଆପ୍ ଉପରେ ଥାନାରେ ମାମଲା କରିଛି। ବିଜେପି ନେତା ପରବେଶ ସାହିବ ସିଂହ, ମଜିନ୍ଦର ସିଂହ ଶୀର୍ସା ଏବଂ ତଜିନ୍ଦର ପାଲ ସିଂହ ବଗ୍ଗା ମିଶି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ଓ ସତୈନ୍ଦ୍ର ଜୈନଙ୍କ ବିରୋଧରେ ମାମଲା କରିଛନ୍ତି।

ଜେଲ୍‌ରେ ଥାଇ ଶ୍ରୀ ଜୈନ୍ ବେଆଇନ୍ କାର୍ଯ୍ୟକାଳାପରେ ଲିପ୍ତ ରହୁଛନ୍ତି ବୋଲି ଏମାନେ ଅଭିଯୋଗ କରିଛନ୍ତି। ସୂଚନା ଥାଉକି ଦିଲ୍ଲୀ ମନ୍ତ୍ରୀ ସତୈନ୍ଦ୍ର ଜୈନ୍‌ ଜେଲ୍‌ରେ ଥାଇ ମସାଜ ନେଉଥିଲେ। ଯାହାର ଫଟୋ ଓ ଭଡିଓ ସାମ୍ନାକୁ ଆସିବା ପରେ ବିବାଦ ବଢ଼ିଯାଇଛି। ବିଜେପି ତା ଅଭିଯୋଗରେ ଦର୍ଶାଇଛି କି “ ସତୈନ୍ଦ୍ର ଜୈନ୍ ଦିଲ୍ଲୀ ପ୍ରିଜନ ଆକ୍ଟ ୨୦୦୦ର କେବଳ ଉଲ୍ଲଂଘନ କରି ନାହାନ୍ତି ତିହାର ଜେଲ ବିଷୟରେ ଏକ ଭୁଲ ଭାବନା ସୃଷ୍ଟି କରିଛନ୍ତି।”

ବିଜେପି ଆହୁରି ଅଭିଯୋଗ କରିଛି ଯେ ସତୈନ୍ଦ୍ର ଜୈନ ଆପ ପାଇଁ ଟଙ୍କା ଆଦାୟ କରନ୍ତି। ଏଥିପାଇଁ କେଜରିୱାଲ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତିଂ ବରଂ ଜେଲ୍ ଭିତରେ ତାଙ୍କୁ ସମସ୍ତ ପ୍ରକାର ଭିଭିଆଇପି ବ୍ୟବସ୍ଥା ଯୋଗାଇ ଦେଇଛନ୍ତି। କେଜରିୱାଲ୍‌ ମଧ୍ୟ ଜୈନ୍‌ଙ୍କର ବେଆଇନ କାରାବାରରେ ସାମିଲ ଥିବାରୁ ସେ ତାଙ୍କୁ କ୍ୟାବିନେଟ୍‌ରୁ ହଟାଉ ନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ସୂଚନା ଥାଉକି ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସତୈନ୍ଦ୍ର ଜୈନ୍‌ ଶୋଇଥିବା ବେଳେ ଅନ୍ୟ ଜଣେ ତାଙ୍କ ଗୋଡ଼ ଘସି ଦେଉଛନ୍ତି। ଏହି ଭିଡିଓ ଭାଇରାଲ୍ ହେବା ପରେ ଆପ୍ ଉପରେ ବିରୋଧୀଙ୍କ ଟାର୍ଗେଟ୍ ଜାରି ରହିଛି।