ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କୋରାପୁଟ ଜିଲ୍ଲାରେ ଥିବା ଦେଓମାଳି ପର୍ବତରେ ଜାରି ହେଲା ୧୪୪ ଧାରା। ରାତ୍ରିଯାପନ କିମ୍ବା ସଂଧ୍ୟା ପରେ ବୁଲିବା ଉପରେ କଟକଣା ଲଗାଯାଇଛି। କୋଟାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି।
ଦେଓମାଳି ପର୍ବତକୁ ବୁଲିବାକୁ ଆସିଥିବା ଅନେକ ପର୍ଯ୍ୟଟକ ସେଠାରେ ଟେଣ୍ଟ ପକାଇ ରାତ୍ରି ଯାପନ କରିଥାନ୍ତି। ଏହାସହ ରାତିରେ ନିଆଁ ଜାଳି କ୍ୟାମ୍ପ୍ ଫାୟାର ପାଳନ କରିଥାନ୍ତି। ଏହା ଫଳରେ ଦେଓମାଳିର ପ୍ରାକୃତିକ ପରିବେଶ ଉପରେ ପ୍ରଭାବ ପଡିବା ସହ ପରିବେଶ ପ୍ରଦୂଷଣର ଆଶଙ୍କା ରହିଛି। ଆଗକୁ ପର୍ଯ୍ୟଟନ ଋତୁ ଆରମ୍ଭ ହେବାକୁ ଥିବାବେଳେ ଏବେଠୁ ଦେଓମାଳିରେ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହେଲାଣି । ତେଣୁ। ଏହାକୁ ନଜରରେ ରଖି କୋରାପୁଟ ଜିଲ୍ଲାପାଳ ଅବଦଲ ଅଖତର ଏହି ନିଷେଧାଦେଶ ଜାରି କରିଛନ୍ତି।
ଜିଲ୍ଲା ପ୍ରଶାସନ ଜାରି କରିଥିବା କଟକଣା ଅନୁସାରେ, ଦେଓମାଳିରେ ରାତ୍ରିଯାପନକୁ ସମ୍ପୂର୍ଣ୍ଣ ବାରଣ କରିବା ସହ ଆସନ୍ତା ୬୦ ଦିନ ପର୍ଯ୍ୟନ୍ତ ରାତି ୯ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ସେହି ଅଞ୍ଚଳରେ ୧୪୪ ଧାରା ଲଗାଯାଇଛି। ରାତି ଚଳପ୍ରଚଳକୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଗତ କିଛିଦିନ ଧରି ଅନେକ ଅସାମାଜିକ ବ୍ୟକ୍ତି ଦେଓମାଳି ପର୍ବତରେ ଟେଣ୍ଟ ପକାଇ ରାତ୍ରି ଯାପନ କରୁଥିବା ସହ ମନ ଇଚ୍ଛା କେମ୍ପ ଫାୟାର ଆୟୋଜନ କରୁଥିବା ଦେଖାଯାଇଛି
