କୁଚିଣ୍ଡା(ସତ୍ୟପାଠ ବ୍ୟୁରୋ): ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ସାମାନ୍ୟ କଥାକୁ ନେଇ ବାପାର ଜୀବନ ନେଇଛି ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି କୁଚିଣ୍ଡା ଥାନା ଧୂଦିପାଲି ଗ୍ରାମ ପଂଚାୟତ ମାନପାଲି ଗ୍ରାମରେ। ମୃତକ ହେଲେ ଧନେଶ୍ୱର ଭୋଇ (୬୫)। ସୂଚନା ଅନୁଯାୟୀ, ଗତ ରାତିରେ ବାପ ପୁଅ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପୁଅ ଗୋବିନ୍ଦ ଭୋଇ ବାପା ଶୋଇଥିବାବେଳେ ଏକ ଟାଙ୍ଗିଆ ବେଣ୍ଟରେ ତାଙ୍କୁ ନିର୍ମମ ଭାବରେ ପିଟିଥିଲା। ରାତି ପ୍ରାୟ ୨ଟା ସମୟରେ ପୁଅ ଏଭଳି ଆକ୍ରମଣ କରିଥିବାବେଳେ ରକ୍ତାକ୍ତ ଅବସ୍ଥାରେ ବାପାଙ୍କୁ କୁଚିଣ୍ଡା ଡାକ୍ତରଖାନା ଅଣାଯାଇଥିଲା। ଧନେଶ୍ୱର ଭୋଇଙ୍କ ଅବସ୍ଥା ସଂକଟାପନ୍ନ ରହିଥିବାରୁ କୁଚିଣ୍ଡା ଡାକ୍ତରଖାନାରୁ ବୁର୍ଲା ଭିମସାର୍କୁ ପଠାଯାଇଥିଲା। ୧୦୮ ଆମ୍ବୁଲାନ୍ସରେ ବୁର୍ଲା ନେଇ ଯାଉଥିବା ସମୟରେ ଲାଇଡାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହ ଏବେ ଲାଇଡା ଡାକ୍ତରଖାନାରେ ରହିଛି। ପୋଲିସ କୁଚିଣ୍ଡା ଥାନାରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ କରୁଛନ୍ତି।
