ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜେଲ୍ରେ ଥିବା ଦିଲ୍ଲୀ ସରକାରର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଆପ୍ ମନ୍ତ୍ରୀ ଜେଲ ରେ ସଜା ନୁହେଁ ଭିଭିଆଇପି ମଜା ନେଉଛନ୍ତି ବୋଲି ଅଭିଯୋଗ ହେଉଛି ଆଉ ଏହି ଘଟଣାର ସିସି ଟିଭି ଭିଡ଼ିଓ ସବୁ ସାମ୍ନାକୁ ଆସୁଛି। ପ୍ରଥମେ ବଡି ମସାଜ ନେଇ ଭିଡ଼ିଓ ଆସିଥିବା ବେଳେ ଏବେ ସେ ରେଷ୍ଟୁରାଣ୍ଟର ଖାଦ୍ୟ ଖାଉଥିବାର ଭିଡ଼ିଓ ସାମ୍ନାକୁ ଆସିଛି। ଦିଲ୍ଲୀ ତିହାର ଜେଲ୍ରୁ ଆମ୍ ଆଦମୀ ପାର୍ଟିର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ପୁଣି ଆପ୍ ସରକାରଙ୍କୁ ହରଡଘଣାରେ ପକାଇଛି।
ସାମ୍ନାକୁ ଆସିଥିବା ଭିଡିଓରେ ସତ୍ୟେନ୍ଦ୍ର ଜୈନ୍ ବାହାରୁ ମଗା ଯାଇଥିବା ବିଭିନ୍ନ ସୁଆଦିଆ ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଛି।ଜେଲ୍ ବାହାରୁ ଏକାଧିକ ପ୍ୟାକେଟ୍ରେ ବିଭିନ୍ନ ପ୍ରକାରର ଖାଦ୍ୟ ଅଣାଯାଇଛି। ଯାହାକୁ ଖାଉଛନ୍ତି ସତ୍ୟେନ୍ଦ୍ର। ତା’ସହ ବିଭିନ୍ନ ଫଳ ଓ ଡ୍ରାଏ ଫୁଟସ୍ ବି ତାଙ୍କ ପାଖରେ ପହଞ୍ଚା ଯାଇଛି। ଏସବୁକୁ ଜେଲ୍ ଭିତରେ ବେଶ୍ ଆରମରେ ତାଙ୍କ ପାଖରେ ପହଞ୍ଚା ଯାଉଛି।
ପୂର୍ବରୁ ମାଲିସ୍ ଭିଡିଓ ଭାଇରାଲ୍ ହେବା ପରେ ସତ୍ୟେନ୍ଦ୍ରଙ୍କ ଓକିଲ ଏନେଇ ପ୍ରତିକ୍ରିୟା ରଖିଥିଲେ। ତାଙ୍କର ମେରୁଦଣ୍ଡ ଅସ୍ତ୍ରପ୍ରଚାର ହୋଇଛି ତେଣୁ ତାଙ୍କୁ ଫିଜିଓଥେରପି ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ତେଣୁ ତାଙ୍କୁ ମାଲିସ କରାଯାଉଥିବା ସେ କହିଥିଲେ। ଏହା ସହିତ ସେ କହିଥିଲେ ଯେ, ଜେଲ୍ରେ ସତ୍ୟେନ୍ଦ୍ରଙ୍କ ଓଜନ ୨୮ କିଲୋ କମି ଯାଇଛି। କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରିବା ସହ ଓଜନ ୮ କିଲୋ ବଢ଼ିଥିବା ତିହାର ଜେଲ୍ କତ୍ତୃପକ୍ଷ କହିଛନ୍ତି।
ଏହି ଘଟଣାକୁ ନେଇ ବିଜେପି ଆପ୍କୁ ଘେରିଛି। ଜେଲ୍ରେ ସତ୍ୟେନ୍ଦ୍ରରେ ବେଶ୍ ଆରାମରେ ରହିଛନ୍ତି, କେଜରିୱାଲ ସବୁ ବ୍ୟବସ୍ଥା କରିଛନ୍ତି। ତେଣୁ ଆପ୍ର କଥା ଓ କାର୍ଯ୍ୟ ଦୁଇଟି ଭିନ୍ନ ବୋଲି ଅଭିଯୋଗ କରିଛି ବିଜେପି। ସେପଟେ ଏହି ଘଟଣାକୁ ନେଇ ଆପ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।