ବିଏମ୍‌ସି ଇଞ୍ଜିନୟରିଂ ଉପବିଭାଗରେ ୫୪କୋଟିର ଭାଉଚର ଗାଏବ: ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ୍‌

ଭୁବନେଶ୍ବର : ବିଏମ୍‌ସି ଇଞ୍ଜିନୟରିଂ ଉପବିଭାଗରେ ବଡ଼ ଧରଣର ଘୋଟାଲା ଏବେ ସାମ୍ନାକୁ ଆସିଛି ।୫୪କୋଟି ଟଙ୍କାର ହିସାବ ମିଳୁନି। ଏ ସଂକ୍ରାନ୍ତୀୟ ୧୪୦ ଫାଇଲ୍‌କୁ ଲୁଚାଇ ରଖିଛନ୍ତି ବିଏମ୍‌ସି ଇଞ୍ଜିନିୟର। ଯାହା ଏବେ ଅଧିକାରୀମାନଙ୍କୁ ମହଙ୍ଗା ପଡ଼ିବାକୁ ଯାଉଛି। ଏହି ମାମଲାକୁ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ତଦନ୍ତ କରିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ କରି ତିନିମାସ ମଧ୍ୟରେ ଲୋକାୟୁକ୍ତଙ୍କୁ ପ୍ରାଥମିକ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି। ଫେବ୍ରୁଆରି ୨୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ରହିଛି।

ବିଏମ୍‌ସି ଇଞ୍ଜିନିୟରିଂ ଉପବିଭାଗ‌ରେ ଘୋର ଦୁର୍ନୀତି ହୋଇଛି। ଖର୍ଚ୍ଚ ନ କରି କୋଟି କୋଟି ଟଙ୍କା ବାଣ୍ଟି ନେଇଛନ୍ତି। ଫଳରେ ସେ ସବୁର ନକଲି ଭାଉଚର ପ୍ରସ୍ତୁତ କରିପାରି ନାହାନ୍ତି। ୨୦୧୨ ମସିହାରୁ ଏହି କାରବାର ଚାଲିଛି। ପ୍ରତିବର୍ଷ ଲୋକାଲ ଫଣ୍ଡ ଅଡିଟ୍‌ ବିଭିନ୍ନ ଖର୍ଚ୍ଚ ବାବଦକୁ ଭାଉଚର ତଲବ କରୁଥିଲେ ମଧ୍ୟ ବିଏମ୍‌ସି ଦେଖାଇ ପାରୁନାହିଁ। ୨୦୨୦ ମସିହାରେ ମାମଲା ଲୋକାୟୁକ୍ତକୁ ଯିବା ପରେ ଏଭଳି ଘୋଟାଲା ପଦାକୁ ଆସିଥିଲା। ଲୋକାୟୁକ୍ତରେ ପ୍ରାୟ ୧୧ଟି ଭିନ୍ନ ଭିନ୍ନ ତାରିଖରେ ହୋଇଥିବା ଶୁଣାଣିରେ ବିଏମ୍‌ସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲା। ଶେଷରେ ବିଏମ୍‌ସି ସିଟି ଇଞ୍ଜିନିୟର ଅରୁଣ ନାୟକଙ୍କୁ ଲୋକାୟୁକ୍ତଙ୍କ ପାଖରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଉତ୍ତର ରଖିବାକୁ ପଡ଼ିଥିଲା। ହେଲେ ସେ ମଧ୍ୟ ଫାଇଲ୍‌ ବାବଦରେ ତଥ୍ୟ ରଖି ପାରିନଥିଲେ। ଏଣୁ ଲୋକାୟୁକ୍ତ ମାମଲାର ତଦନ୍ତ ଭାର ଇଓଡବ୍ଲୁକୁ ଦେଇଛନ୍ତି। ଇଓଡବ୍ଲୁ ସୋମବାରଠାରୁ ଦାୟିତ୍ବରେ ଥିବା ଅଧିକାରୀମାନଙ୍କୁ ଜେରା କରିବା ସହ ଉପଯୁକ୍ତ ନଥିପତ୍ର ସଂଗ୍ରହ କରିବ ବୋଲି ଜଣାପଡ଼ିଛି।

ମାମଲା ଇଓଡବ୍ଲୁକୁ ଯିବାପରେ ଇଞ୍ଜିନିୟରମାନଙ୍କର ବୁଦ୍ଧି ହଜିଛି। ଏହି ମାମଲାରେ ଇଓଡବ୍ଲୁ ପ୍ରାୟ ୧୩ ଜଣ ଇଞ୍ଜନିୟରଙ୍କୁ ଜେରା କରିବାକୁ ଯାଉଛି। ଏହାସହିତ ଏହି ଉପବିଭାଗରେ ପୂର୍ବରୁ କାମ କରିଥିବା ଓ ଏବେ କାମ କରୁଥିବା ଡିଲିଂ ଆସିଷ୍ଟାଣ୍ଟ୍‌ ବି ତଦନ୍ତର ପରିସରଭୁକ୍ତ ହେବାକୁ ଯାଉଛନ୍ତି। ଘୋଟାଲା ପ୍ରମାଣିତ ହେଲେ ଏମାନଙ୍କ ଠାରୁ ଅର୍ଥ କେବଳ ଆଦାୟ ହେବ ନାହିଁ ବରଂ ଗିରଫ ହେବା ଆଶଙ୍କା ରହିଛି। ସେଥିପାଇଁ ଏମାନେ ସିଟି ଇଞ୍ଜିନିୟର ଅରୁଣ ନାୟକଙ୍କ ଶରଣ ପଶିଛନ୍ତି। ଏଠାରୁ ବଦଳି ହୋଇ ଯାଇଥିବା କିରାଣୀ ଓ ଇଞ୍ଜିନିୟରମାନଙ୍କୁ ଖୋଜା ପଡ଼ିଛି। ନକଲି ଭାଉଚର ମଧ୍ୟ ପ୍ରସ୍ତୁତ କରିବାକୁ ବାଟ ନଥିବାରୁ ଅଧିକାରୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଥୟ ହୋଇଛି।

୨୦୨୦ ମସିହା ଅଡିଟ୍‌ ସମୟରେ ଇଞ୍ଜିନିୟରିଂ ଉପବିଭାଗର ୪୯୦ ଫାଇଲ୍‌ରୁ ଲୋକାଲ ଫଣ୍ଡ ଅଡିଟ୍‌ ପାଖରେ ୩୫୦ ଫାଇଲ୍‌ ଦାଖଲ କରାଯାଇଥିଲା। ବାକି ୧୪୦ ଫାଇଲ୍‌ରେ ୫୪ କୋଟି ଟଙ୍କାର ହିସାବ ରହିଥିଲା। ଏହିସବୁ ଫାଇଲ୍‌ ଦାଖଲ କରିବାକୁ ଅଡିଟ୍‌ ବିଏମ୍‌ସିକୁ ନିର୍ଦ୍ଦେଶ ଦେଇଥିଲେ। ଥରେ କିମ୍ବା ଦୁଇଥର ନୁହେଁ, ବରଂ ଅଡିଟ୍‌ ପକ୍ଷରୁ ପ୍ରାୟ ୬ଥର ବିଏମ୍‌ସିକୁ ଫାଇଲ୍‌ ଦାଖଲ କରିବାକୁ ତାଗିଦ୍‌ କରାଯାଇଥିଲେ ମଧ୍ୟ ବିଏମ୍‌ସି ଦାଖଲ କରିନଥିଲା। ଶେଷରେ, ଏହି ଅର୍ଥ ଅଧିକାରୀମାନଙ୍କଠାରୁ ଅସୁଲ କରିବାକୁ ଅଡିଟ୍‌ ସୁପାରିସ କରିଥିଲା। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷ ନା ଫାଇଲ୍‌ ଖୋଜିଲେ ନା ଅଡିଟ୍‌ ସୁପାରିସ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଲେ। ଏଣୁ ମାମଲା ଲୋକାୟୁକ୍ତରେ ପହଞ୍ଚିଥିଲା।

ସେହିଭଳି ବିଏମ୍‌ସି ଅଳିଆ ପକା-ଉଠାରେ ୧୧ କୋଟି ହେରଫେର୍‌ ହୋଇଥିବା ଅଡିଟ୍‌ ଧରିବା ପରେ ପରିମଳ ଉପବିଭାଗରେ କାମ କରୁଥିବା ୧୨ଜଣ କର୍ମଚାରୀଙ୍କଠାରୁ ଏହି ଅର୍ଥ ଆଦାୟ କରିବାକୁ ସୁପାରିସ ହୋଇଛି। କିନ୍ତୁ ବିଏମ୍‌ସି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ମାମଲା ଲୋକାୟୁକ୍ତରେ ପହଞ୍ଚିଛି।

ତେବେ ବିଏମ୍‌ସିର ଜଣେ ବରି‌ଷ୍ଠ ଅଧିକାରୀଙ୍କ କହିବା କଥା, ୧୪୦ ଫାଇଲ୍‌ରୁ ୬୬ ଫାଇଲ୍‌ ଦାଖଲ ହୋଇ ସାରିଛି। ବାକି ୭୪ଟି ମିଳୁନାହିଁ। ଏହି ୭୪ ଫାଇଲ୍‌ରେ ୫୪ କୋଟିର ଖର୍ଚ୍ଚ ନୁହେଁ, ବରଂ କମ୍‌ ହେବ ବୋଲି କହିଛନ୍ତି।

Related Posts