ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏହି ଦାବି ଅଞ୍ଚଳର ଜନ ଦାବି ହୋଇଥିଲା ବେଳେ ଏହି ହକର ଲଢେଇରୁ ପଛଘୁଞ୍ଚା ନଦେବାକୁ ସମ୍ବଲପୁର ଜିଲ୍ଲା ଓକିଲ ସଙ୍ଘ ନିଷ୍ପତି ନେଇଛି। ତେଣୁ ଆଜି ପୂର୍ବ ଘୋଷଣା ଅନୁସାରେ ଓକିଲ ସଙ୍ଘ କୋର୍ଟ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ ପିକେଟିଂ କରି ବନ୍ଦ କରାଇଛି।

ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ଆକ୍ସନ କୁ ଆସିଛି ପୋଲିସ। କଚେରୀ ଛକରେ ପର୍ଯ୍ୟାପ୍ତ ପୁଲିସ ମୁତୟନ ହୋଇଥିବା ବେଳେ ବିଚାରପତି କୋର୍ଟ ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ। ଏହାକୁ ଓକିଲ ସଙ୍ଘ ବିରୋଧ କରିବା ପରେ ପୁଲିସ ସହ ଓକିଲମାନଙ୍କର ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିଲା। ଏପରିକି ପୋଲିସ ଆନ୍ଦୋଳନରତ ଓକିଲଙ୍କ ଟେଣ୍ଟ ମଧ୍ୟ ଓପଡ଼ି ଫୋପାଡି ଦେଇଥିଲେ। ତେବେ ଦୀର୍ଘ ୪୫ ମିନିଟ୍ କାଳ ଆଲୋଚନା ବିଫଳ ହେବା ପରେ ଶେଷରେ ବିଚାରପତିମାନେ ଫେରିଯାଇଥିଲେ।