ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପରୀକ୍ଷା ଥିଲା, ମାତ୍ର ପ୍ରଶ୍ନପତ୍ର ଆସି ନଥିଲା। ଶ୍ରେଣୀ ଗୃହରେ କଳାପଟା ବି ନଥିଲା। ତେଣୁ ଶିକ୍ଷକ ବାଧ୍ୟ ହୋଇ କଳାପଟାରେ ପ୍ରଶ୍ନ ଲେଖିଥିଲେ। ଆଉ ସେହି ପ୍ରଶ୍ନ ଦେଖି ଖାତାରେ ଉତ୍ତର ଲେଖିଥିଲେ ଛାତ୍ରଛାତ୍ରୀ। ସ୍ମାର୍ଟ କ୍ଲାସ୍ ରୁମ୍ ଯୁଗରେ ଏଭଳି ଏକ ଅଭାବନୀୟ ଚିତ୍ର ଆସିଛି ରାଜ୍ୟର ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହିଙ୍ଗୁଳା ଉଚ୍ଚ ବିଦ୍ୟାପୀଠରୁ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ଷେ ତଳେ ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ଥିବା ଏହି ସ୍କୁଲ୍‌ର ନବମ ଓ ଦଶମ ଶ୍ରେଣୀ ଗୃହକୁ ୫-ଟି ସ୍ମାର୍ଟ କ୍ଲାସରେ ପରିବର୍ତ୍ତନ କରାଯାଇଥିଲା। କିନ୍ତୁ ସ୍କୁଲ୍‌ର ଅନ୍ୟ ଶ୍ରେଣୀ ଗୃହର ଉନ୍ନତିକରଣ ସକାଶେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ସ୍କୁଲ୍‌ର ବିଲ୍ଡିଂ ଚକ୍‌ ଚକ୍‌ କରୁ ଥିବା ବେଳେ କ୍ୟାମ୍ପସଟି ମଧ୍ୟ ଖୁବ୍ ଭଲ ଦେଖାଯାଉଛି। କିନ୍ତୁ ନବମ ଓ ଦଶମ ଶ୍ରେଣୀ ଗୃହକୁ ଛାଡ଼ିଦେଲେ ସ୍କୁଲର ଅନ୍ୟ ଶ୍ରେଣୀ ଗୃହ ଗୁଡ଼ିକର ଚିତ୍ର ପୂରା ଅଲଗା। କେଉଁଠି ପିଲା ବସିବାକୁ ଚୌକି, ବେଞ୍ଚ ନାହିଁ ଆଉ କେଉଁ ଶ୍ରେଣୀରେ କଳାପଟା ନାହିଁ।

ସୋମବାର ଠାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା ମାନଙ୍କର ଷାଣ୍ମାସିକ ପରୀକ୍ଷା ଆରମ୍ଭ ହୋଇଛି। ପିଲାମାନେ ପରୀକ୍ଷା ଦେବା ପାଇଁ ଗତକାଲି ସ୍କୁଲରେ ପହଞ୍ଚିଥିଲେ। କିନ୍ତୁ ପରୀକ୍ଷା ଦେବାପାଇଁ ସେମାନଙ୍କୁ ପ୍ରଶ୍ନପତ୍ର ମିଳି ନଥିଲା। ଶିକ୍ଷକମାନେ କଳାପଟାରେ ପ୍ରଶ୍ନପତ୍ର ଲେଖି ଦେଇଥିଲେ। ସେହି ପ୍ରଶ୍ନକୁ ଦେଖି ଖାତାରେ ଉତ୍ତର ଲେଖିବାକୁ ପିଲାମାନଙ୍କୁ କହିଥିଲେ। ହେଲେ ଚତୁର୍ଥ ଶ୍ରେଣୀ ପିଲାମାନେ ଯେଉଁ ଶ୍ରେଣୀ ଗୃହରେ ବସି ପରୀକ୍ଷା ଦେଉଥିଲେ ସେଠାରେ କଳାପଟା ନଥିଲା କି ବସିବାକୁ ଚୌକି ଓ ବେଞ୍ଚ୍ ନଥିଲା। ସେହି ଶ୍ରେଣୀରେ ଶିକ୍ଷକ କବାଟରେ ପ୍ରଶ୍ନ ଲେଖିଥିଲେ। ପରେ ପିଲାମାନେ ସେହି ପ୍ରଶ୍ନ ଦେଖି ଉତ୍ତର ଲେଖିଥିଲେ।

ଏନେଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି ଯେ, ଆମକୁ ପ୍ରଶ୍ନପତ୍ର ଦିଆଯାଇନାହିଁ। ସେଥିପାଇଁ ନିଜେ ପ୍ରଶ୍ନ ଲେଖି ଦେଉଛୁ। ପିଲାମାନେ ତାର ପରୀକ୍ଷା ଦେଉଛନ୍ତି। ଅଧିକ ପିଲାଥିବାରୁ ଆମେ ଆଡ୍‌ଜଷ୍ଟ କରି ପିଲାଙ୍କୁ ବସାଇ ପରୀକ୍ଷା କରାଉଛୁ।

ସ୍କୁଲ କମିଟି ଅଧ୍ୟକ୍ଷ ସଂଯୁକ୍ତ ମହାରଣା କହିଛନ୍ତି ଯେ, ସ୍କୁଲକୁ ପ୍ରଶ୍ନପତ୍ର ଆସି ନଥିବାରୁ ପିଲାମାନେ ପରୀକ୍ଷା ନଦେଇ ଚୁପଚାପ ବସିଥିଲେ। ଆମେ ପ୍ରଶ୍ନ କରିବାରୁ ସରକାର ପ୍ରଶ୍ନପତ୍ର ପାଇଁ ପଇସା ଦେଇନାହାନ୍ତି ବୋଲି ପ୍ରଧାନ ଶିକ୍ଷୟିତ୍ରୀ କହିଥିଲେ। କଳାପଟାରେ ପ୍ରଶ୍ନ ଲେଖାଯିବ ଓ ପିଲାମାନେ ତାହା ଦେଖି ଉତ୍ତର ଖାତାରେ ଲେଖିବେ ବୋଲି କହିଥିଲେ। ଆମେ ପାଟିତୁଣ୍ଡ କରିବାରୁ ସ୍କୁଲ କ୍ୟାମ୍ପସରୁ ବାହାରି ଯିବାକୁ କହିଥିଲେ।

ରାଜ୍ୟ ସରକାର ୫-ଟି ଅଧୀନରେ ସ୍କୁଲ ଗୁଡ଼ିକୁ ଅଧୁନିକୀକାରଣ କରାଯାଇ ସ୍ମାର୍ଟ ସ୍କୁଲରେ ପରିବର୍ତ୍ତନ କରାଯାଉଛି ବୋଲି ଡିଣ୍ଡିମ ପିଟୁଥିବା ବେଳେ ହିଙ୍ଗୁଳା ଉଚ୍ଚ ବିଦ୍ୟାପୀଠର ଏଭଳି ଅବସ୍ଥା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।