ଶିମଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜିମାତ କରିଛି କଂଗ୍ରେସ । ତେବେ କଂଗ୍ରେସ ବିଜୟ ହାସଲ କରିବା ପରେ ସରକାର ଗଠନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତେବେ ତାପୂର୍ବରୁ ଦଳରୁ କଏ ହେବେ ମୁଖ୍ୟମନ୍ତ୍ରୀ ଚେହେରା ସେନେଇ ଆଜି ବିଧାୟକ ଦଳ ବୈଠକ ଡକାଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ହେବ।
ଆଜି ଅପରାହ୍ନ ପ୍ରାୟ ୩ଟାରେ ଶିମଲାର କଂଗ୍ରେସ ମୁଖ୍ୟାଳୟ ରାଜୀବ ଭବନ ପରିସରରେ ବିଧାୟକ ଦଳ ବସିବ। ୬୮ ଆସନ ବିଶିଷ୍ଟ ହିମାଚଳପ୍ରଦେଶ ବିଧାନସଭା ଆସନରୁ କଂଗ୍ରେସ ୪୦ଟି ଜିତି ସଂଖ୍ୟା ଗରିଷ୍ଠ ହାସଲ କରିଛି। ଫଳରେ କଂଗ୍ରେସ ସରକାର ଗଠନ ନେଇ ସ୍ପଷ୍ଟ ହୋଇଛି।
ଏଠାରେ ବିଜେପିର ଡବଲ ଇଞ୍ଜିନ୍ ସରକାରକୁ ମାତ୍ ଦେଇଛି କଂଗ୍ରେସ। ଆଜିର ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବାକୁ ଥିବାରୁ ଏହାର ବେଶ ମହତ୍ୱ ରହିଛି । ବରିଷ୍ଠ ନିର୍ବାଚନ ସୁପରଭାଇଜର ତଥା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଦାୟିତ୍ୱରେ ଥିବା ରାଜୀବ ଶୁକ୍ଲା ଏବଂ ଭୁପେନ୍ଦ୍ର ସିଂ ହୁଡା ଆଜି ଶିମଲାରେ ପହଞ୍ଚିବେ। ବୈଠକରେ କଂଗ୍ରେସ ରାଜ୍ୟ ସଭାପତି ପ୍ରତୀଭା ସିଂ ମଧ୍ୟ ଉପସ୍ଥିତ ରହିବେ। ବିଧାୟକଙ୍କ ସହ ପରାମର୍ଶ ପରେ ସର୍ବସମ୍ମତି କ୍ରମେ ମୂଖ୍ୟମନ୍ତ୍ରୀଙ୍କ ନାମ ଉପରେ ବାଜିବ ମୋହର ।
ଘୋଡ଼ା ବେପାରକୁ ଭୟ ନକରି ଆଜି ସମସ୍ତ ନବନିର୍ବାଚିତ ବିଧାୟକମାନେ ଶିମଲାରେ ଏକାଠି ହେବେ । ଏହା ପୂର୍ବରୁ ଦଳ ବିଧାୟକମାନଙ୍କୁ ଚଣ୍ଡିଗଡ଼କୁ ସ୍ଥାନାନ୍ତର କରିବାକୁ ଯୋଜନା କରିଥିଲା। ସେମାନଙ୍କ ରହିବା ପାଇଁ ଏକ ହୋଟେଲ ମଧ୍ୟ ମୋହାଲିରେ ପ୍ରସ୍ତୁତ ଥିଲା। କିନ୍ତୁ ୪୦ ଟି ଆସନ ଜିତିବା ପରେ ଦଳ ରଣନୀତିରେ ପରିବର୍ତ୍ତନ କରିଥିଲା। ତେବେ ମୁକେଶ ଅଗ୍ନିହୋତ୍ରୀଙ୍କ ବ୍ୟତୀତ ସୁଖବିନ୍ଦର ସିଂ ସୁଖୁ, ପ୍ରତିଭା ସିଂ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଛନ୍ତି ।
