ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆନନ୍ଦ ଟପ୍ପୋ ମୃତ୍ୟୁ ଘଟଣା ଶୁକ୍ରବାର ଏକ ଭିନ୍ନ ମୋଡ ନେଇଛି। ଏହି ଘଟଣାରେ ହକି ତାରକା ବିରେନ୍ଦ୍ର ଲାକ୍ରାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲେ ମଧ୍ୟ ତଦନ୍ତରେ ଅନିୟମିତତା କରାଯାଇଥିବା ଜଣାପଡ଼ିଛି। ଉକ୍ତ ଘଟଣାର ତଦନ୍ତ ଦାୟିତ୍ବ ଭୁବନେଶ୍ବର ଇନଫୋସିଟି ଥାନାଧିକାରୀ ସମିତା ମିଶ୍ର କରୁଥିବାବେଳେ ଅଭିଯୋଗ ଫର୍ଦ୍ଦରୁ ବିରେନ୍ଦ୍ରଙ୍କ ନାମଟି କାଟି ଦେଇଥିଲେ। ଫଳରେ ଆନନ୍ଦଙ୍କ ପିତା ବନ୍ଧନ ଟପ୍ପୋ ଥାନାଧିକାରୀଙ୍କ ବିରୋଧରେ ହାଇକୋର୍ଟରେ ମାମଲା ଦାଏର କରିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଭୁବନେଶ୍ବର ଡିସିପି ଉକ୍ତ ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ କରିଥିଲେ।

ଏହି ରିପୋର୍ଟକୁ ଦେଖିବା ପରେ ତଦନ୍ତରେ ଅନିୟମିତତା ଜାଣି ହାଇକୋର୍ଟ ଇନଫୋସିଟି ଥାନାଧିକାରୀ ସମିତା ମିଶ୍ରଙ୍କୁ ଭର୍ତ୍ସନା କରିଛନ୍ତି। ଏହାସହିତ ବର୍ଷେ ପର୍ଯ୍ୟନ୍ତ ଥାନାଧିକାରୀ ମିଶ୍ରଙ୍କୁ ଫିଲ୍ଡ ପୋଷ୍ଟିଂ ମନା କରିଛନ୍ତି। ତାଙ୍କୁ ମାସେ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ ଟ୍ରେନିଂ ନେବାକୁ ଆଦେଶ ଦେଇଛନ୍ତି। ଏଥିସହିତ ୩ ମାସ ମଧ୍ୟରେ ଡିସିପି ନିଜେ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଫେବ୍ରୁଆରୀ ୨୮ ତାରିଖ ଦିନ ପ୍ରାୟ ୧୨ଟା ବେଳେ ଭୁବନେଶ୍ୱର ଇନଫୋସିଟି ଥାନା ଅନ୍ତର୍ଗତ ଆୟୁଷ ରେଡିୟମ ଫ୍ଲାଟ୍ ନମ୍ବର ୪୦୧ରେ ବେକରେ ଶାଢ଼ୀ ଲଗାଇ ଆନନ୍ଦ ଆତ୍ମହତ୍ୟା କରିଥିବା ବୀରେନ୍ଦ୍ର ଫୋନ୍‌ କରି ଆନନ୍ଦଙ୍କ ବାପା ବନ୍ଧନ ଟପ୍ପୋଙ୍କୁ ସୂଚନା ଦେଇଥିଲେ। ଏହା ପରେ ଆନନ୍ଦଙ୍କ ବାପା ବନ୍ଧନ ଭୁବନେଶ୍ୱରରେ ଆସିଥିଲେ। ହେଲେ ସେଠାରେ ବୀରେନ୍ଦ୍ରଙ୍କ ଦେଖା ମିଳିନଥିଲା।

ଅନ୍ୟପକ୍ଷରେ ପୁଅ ଆନନ୍ଦଙ୍କ ବେକରେ ୨ଟି ଦାଗ ରହିଥିବା ବନ୍ଧନ ଦେଖିବାକୁ ପାଇଥିଲେ। ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ବୀରେନ୍ଦ୍ରଙ୍କ ନାଁରେ ଇନ୍‌ଫୋସିଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ ବନ୍ଧନ। ହେଲେ ପୁଲିସ ଅଭିଯୋଗ ଫର୍ଦ୍ଦରୁ ବିରେନ୍ଦ୍ରଙ୍କ ନାମଟି କାଟି ଦେଇଥିବା ନେଇ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେ ଆବେଦନରେ ଦର୍ଶାଇଥିଲେ, ପୁଅର ହତ୍ୟା ଘଟଣାରେ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ସମ୍ପୃକ୍ତି ନେଇ ଥାନାରେ ଏତଲା ଦେଇଥିଲି। ହେଲେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ବନ୍ଧନ ଆବେଦନରେ ଦର୍ଶାଇଥିଲେ। ନଭେମ୍ୱର ୨୩ ତାରିଖରେ କୋର୍ଟ ମାମଲାର ବିଚାର କରି ଏନେଇ ରିପୋର୍ଟ ଦେବାକୁ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ।