ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉପନିର୍ବାଚନ ଜିତିବା ପାଇଁ ବିଜେଡି ଓ କଂଗ୍ରେସ ମଧ୍ୟରେ ହୋଇଥିଲା ବଡ ଡିଲ୍‌। ଭୁବନେଶ୍ୱରରେ କଂଗ୍ରେସ ନେତୃତ୍ଵଙ୍କ ସହ ଏହି ଡିଲ୍‌ କରାଯାଇଥିଲା। କଂଗ୍ରେସର ସମ୍ପୂର୍ଣ୍ଣ ଭୋଟ ବିଜେଡିକୁ ଟ୍ରାନ୍ସଫର ପାଇଁ କଂଗ୍ରେସ ନେତୃତ୍ୱଙ୍କ ପ୍ରତିଶ୍ରୁତି ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ପାଇଁ ପଦ୍ମପୁର ଯାଇଥିଲେ। ଆଜି ଏପରି ବିସ୍ଫୋରକ ବୟାନ୍‌ ଦେଇଛନ୍ତି ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର।

ତେବେ ଏହି ଭଟଲି ବିଧାୟକ ସୁଶାନ୍ତ ସିଂହ କହିଥିବା ବିଜେଡିର ୧୨୫ ମିଶନକୁ ନେଇ ଜୟନାରାୟଣ ମିଶ୍ର କହିଛନ୍ତି ଯେ, ଗୋଟିଏ ରାଜନୈତିକ ଦଳ ହିସାବରେ ସେମାନେ ମିଶନ ରଖିବା କଥା। ଆମେ ମଧ୍ୟ ମିଶନ ରଖିଛୁ। ୨୦୨୪ ମସିହା ସାଧାରଣ ନିର୍ବାଚନରେ ଆମେ ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରସ୍ତୁତ ହେଉଛୁ। ଜନତା ଆମକୁ ଯେତେ ଦେବେ। ମୁଁ ଭବିଷ୍ୟତ ବକ୍ତା ନୁହେଁ, କେତେ ମିଳିବ କହିବି? ତଥାପି ରାଜ୍ୟରେ ଏକ ତୃତୀୟାଂଶ ସଂଖ୍ୟା ଗରିଷ୍ଠତାରେ ସରକାର ଗଢ଼ିବୁ ବୋଲି ଜୟନାରାୟଣ କହିଛନ୍ତି।

ତେବେ ପଶ୍ଚିମ ଓଡ଼ିଶାରେ ୩୬ ବିଧାନସଭା ଆସନରୁ ୩୦ ଆସନକୁ ଜିତିବାକୁ ବିଜେଡି ଟାର୍ଗେଟ ରଖିଥିବା ସୁଶାନ୍ତ କହିଥିଲେ । ଏହାକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଜୟନାରାୟଣ କହିଛନ୍ତି ଯେ, କହିବା ପାଇଁ କାହାକୁ ମନା ଅଛି କି? ଆମେ ୧୪୭କୁ ୧୪୭ ଜିତିବୁ ବୋଲି କହିଲେ, କିଏ ମନା କରିବ କି? କହିବାକୁ କାହାକୁ ବାଧା ଲାଗୁନି କି ପଇସା ଦେବାକୁ ପଡ଼ୁ ନାହିଁ। ତେଣୁ ସେମାନେ କହିବେ। କିନ୍ତୁ ୨୦୨୪ ବେଳକୁ ସେମାନଙ୍କର କ’ଣ ପରିସ୍ଥିତି ହେବ, ତାହା ସେମାନେ ଦେଖିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ପଦ୍ମପୁରରେ ସେମାନେ ଜିତିଲେ। ଏଥିପାଇଁ ସେମାନଙ୍କୁ କ’ଣ କ’ଣ ଉପାୟ ଅବଲମ୍ୱନ କରିବାକୁ ପଡ଼ିଲା, ତାହା ସେମାନେ କ’ଣ ଜାଣିନାହାନ୍ତି। କ’ଣ ସେମାନେ କଲେ ଯେ ଭୋଟ ପାଇଗଲେ ? ଯେଉଁଥିପାଇଁ ଅଦୃଶ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ମିଳିଲା। ଯିଏ ଅନ୍ଧକାର କୋଠରୀ ଭିତରେ ବନ୍ଦ ହୋଇଥାଆନ୍ତି, ତାଙ୍କୁ ବାହାରକୁ ବାହାରିବା ପାଇଁ ପଡ଼ିଲା। ଏକଥା କଣ ସେମାନେ ଜାଣିନାହାନ୍ତି ବୋଲି ଜୟନାରାୟଣ ପ୍ରଶ୍ନ କରିଛନ୍ତି।