ଭୁବନେଶ୍ୱର,୧୨/୧୨(ସତ୍ୟପାଠ ବ୍ୟୁରୋ): ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କର ଆଜି ପରଲୋକ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା।

ତେବେ ଶ୍ରୀ ଜେନା ଯାଜପୁରରୁ ଦୁଇଥର ସେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୪ ଓ ୨୦୦୯ ଲୋକସଭା ନିର୍ବାଚନରେ ସେ ବିଜୁ ଜନତା ଦଳର ଟିକେଟରୁ କ୍ରମାଗତ ଭାବେ ଦୁଇଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏହାସହିତ ସେ ସଂସଦର ବିଭିନ୍ନ କମିଟିରେ ମଧ୍ୟ ସଦସ୍ୟ ରହିଥିଲେ। ତେବେ ୨୦୧୯ରେ ସେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ। ତାଙ୍କର ବିୟୋଗରେ ଅନେକ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ତାଙ୍କ ସମର୍ଥକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି।