ଭୁବନେଶ୍ଵର,୧୪/୧୨ (ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ପ୍ରଦୂଷଣ ରୋକିବାକୁ ଶିଳ୍ପ ସଂସ୍ଥା ଗୁଡ଼ିକ କେଉଁ କେଉଁ ପଦକ୍ଷେପ ନେଇଛନ୍ତି ତା’ର ସମୀକ୍ଷା କରିବାକୁ ବିଧାନସଭା ଗୃହ କମିଟିର ସବ୍ କମିଟି-୩ କେନ୍ଦୁଝର ଗସ୍ତରେ ଯାଇ କ୍ଷେତ୍ର ପରିଦର୍ଶନ କରିଛନ୍ତି। ବୁଧବାର କେନ୍ଦୁଝର ଜିଲ୍ଲା, ବଡ଼ବିଲ ଓ ରୁଗୁଡ଼ିରେ ଥିବା ବିଭିନ୍ନ କାରଖାନା ଗସ୍ତ କରି ଜଳ, ଶବ୍ଦ ଓ ବାୟୁ ପ୍ରଦୂଷଣ ରୋକିବା ଦିଗରେ ଶିଳ୍ପ ସଂସ୍ଥାମାନେ କି ବ୍ୟବସ୍ଥା କରିଛନ୍ତି ତାର ତଦାରଖ କରିଛନ୍ତି ବିଧାନସଭା ଗୃହ କମିଟିର ଉପକମିଟି-୩।ଜିଲ୍ଲାରେ ଥିବା ବିଭିନ୍ନ କାରଖାନା ଗସ୍ତ କରି କମିଟିର ଅଧ୍ୟକ୍ଷ କହିଛନ୍ତି ଯେ, ‘ଲୋକଙ୍କ ଜୀବନ ଦୁର୍ବିସହ ହୋଇଗଲାଣି। ମଣିଷ ଜୀବନର ମୂଲ୍ୟ ଏମାନେ ବୁଝନ୍ତିନାହିଁ। ନୀତି ନିୟମ କିଛି ମାନୁନାହାନ୍ତି’।

କମିଟିର ଅଧ୍ୟକ୍ଷ ବଦ୍ରିନାରାୟଣ ପାତ୍ରଙ୍କ ନେତୃତ୍ୱରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ଓ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, ବିଭିନ୍ନ ଶିଳ୍ପାନୁଷ୍ଠାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବଡ଼ବିଲରେ ଥିବା ଶ୍ରୀ ଜଗନ୍ନାଥ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ୍‌ କାରଖାନାକୁ ଯାଇ ପ୍ରଦୂଷଣ ସ୍ଥିତି ପରଖିବା ପରେ ଆରିୟା ଆଇରନ ଏଣ୍ଡ ଷ୍ଟିଲ ଓ ରଗୁଡ଼ିରେ ଥିବା ଶ୍ରୀ ମେଟାଲିକ୍ସ ଲିମିଟେଡ୍‌ ଏବଂ କେଜେଏସ ଆହ୍ଲୁୱାଲିଆ କାରଖାନାକୁ ଯାଇ ପ୍ରଦୂଷଣ ଓ ପରିବେଶ ସଂକ୍ରାନ୍ତିୟ ସମସ୍ୟାରେ ତଦାରଖ କରିଛନ୍ତି। କମ୍ପାନୀ ପକ୍ଷରୁ ଖରାପ ଜଳ ପରିଚାଳନା, ଗ୍ରୀନ କରିଡର ଓ ଧୂଳି ଧୁଆଁ ନିୟନ୍ତ୍ରଣ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରି ବିରକ୍ତ ହୋଇଛନ୍ତି କମିଟି ସଦସ୍ୟ।

ବିଶେଷ କରି ଶ୍ରୀ ଜଗନ୍ନାଥ ଷ୍ଟିଲ ପ୍ଲାଣ୍ଟ ଏବଂ କେଜେଏସ ଆହ୍ଲୁୱାଲିଆ ପ୍ଲାଣ୍ଟରେ କୌଣସି ନୀତି ନିୟମ ମାନୁନାହାନ୍ତି ବୋଲି କମିଟିର ଅଧ୍ୟକ୍ଷ ବଦ୍ରିନାରାୟଣ ପାତ୍ର କହିଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ତାଗିଦ୍ କରିବା ସହ ସୁସ୍ଥ ପରିବେଶ ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ କମିଟି ଶିଳ୍ପ ସଂସ୍ଥା ଗୁଡିକୁ ପରାମର୍ଶ ଦେଇଛନ୍ତି। ଏହି ଗସ୍ତ ସମୟରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀଙ୍କ ସହିତ ସ୍ଥାନୀୟ ପ୍ରାଶାସନିକ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।