ବିଶ୍ୱକପ ବିଜୟ ପରେ ଅବସର ନେଇ କଥା ବଦଳାଇଲେ ଲିଓନେଲ୍‌ ମେସି

ଭୁବନେଶ୍ୱର୧୯/୧୨(ସତ୍ୟପାଠ ବ୍ୟୁରୋ): ଫିଫା ବିଶ୍ବକପ୍‌ ବିଜୟୀ ହେବାର ଅଭିଳାଷ ପୂରଣ ହେବା ସତ୍ତ୍ବେ ଲିଓନେଲ୍‌ ମେସି ଆର୍ଜେଣ୍ଟିନା ଟିମ୍‌ରୁ ଅବସର ଗ୍ରହଣ କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି।

ଏନେଇ ସେ କହିଛନ୍ତି ଯେ, ଚଳିତ ବିଶ୍ୱକପ ସରିବା ପରେ ମୁଁ ମୋ ଖେଳ କ୍ୟାରିୟର୍‌ ଶେଷ କରିବି ବୋଲି ଚାହିଁଥିଲି। ମତେ ଆଉ ଖେଳିବାକୁ କୁହାଯିବା କଥା ନୁହେଁ। ଏଭଳି କ୍ୟାରିୟର୍‌ ଶେଷ କରିବା ଅତି ଚମତ୍କାର। ଏହା ପରେ ଆଉ କ’ଣ ହେବ? ମୁଁ ‘କୋପା ଆମେରିକା’ ଜିଣିଲି, ‘ବିଶ୍ବକପ୍‌’ ଜିଣିଲି। ଅବଶ୍ୟ କ୍ୟାରିୟର୍‌ ଶେଷ ଆଡ଼କୁ। ମୁଁ ଫୁଟ୍‌ବଲ୍‌ ଖେଳକୁ ଭଲପାଏ। କ’ଣ କରିବି? ଜାତୀୟ ଦଳରେ ମିଶି ରହିବାକୁ ଇଚ୍ଛା। ବିଶ୍ବ ଚାମ୍ପିୟାନ୍‌ ଭାବେ ଆଉ ଗୋଟିଏ ଦୁଇଟି ମ୍ୟାଚ୍‌ ଖେଳିବାକୁ ଇଛା ହେଉଛି।

ତେବେ ଏନେଇ ଆର୍ଜେଣ୍ଟିନାର ପ୍ରଶିକ୍ଷକ ଲିଓନେଲ୍‌ ସ୍କାଲୋନି କହିଛନ୍ତି ଯେ, ତାଙ୍କର ଯଦି ଖେଳିବାକୁ ଇଚ୍ଛା, ସେ ଆମ ସଙ୍ଗରେ ରହିପାରିବେ। ଆମ ସହିତ ରହିବା ପାଇଁ ନିଷ୍ପତ୍ତି ନେବା ଲାଗି ତାଙ୍କର ହକ୍‌ ଅଛି। ତାଙ୍କୁ ପ୍ରଶିକ୍ଷଣ ଦେବା ବଡ଼ ଆନନ୍ଦପ୍ରଦ। ଦଳ ପାଇଁ ତାଙ୍କର ସବୁ କାର୍ଯ୍ୟ ଅତୁଳନୀୟ। ଏଭଳି କଥା ମୁଁ ପୂର୍ବରୁ ଦେଖିନାହିଁ।

ସୂଚନାଯୋଗ୍ୟ, ‘୨୦୨୨ ଫିଫା ବିଶ୍ବକପ୍‌ ଫାଇନାଲ୍‌’ ଆର୍ଜେଣ୍ଟିନା ପାଇଁ ତାଙ୍କର ଶେଷ ଖେଳ ବୋଲି ପ୍ରଖ୍ୟାତ୍‌ ଫୁଟ୍‌ବଲ୍‌ ଖେଳାଳି ତଥା ଅଧିନାୟକ ଲିଓନେଲ୍‌ ମେସି ସୁନିଶ୍ଚିତ କରିଥିବା କଥା ଆର୍ଜେଣ୍ଟିନାର ଗଣମାଧ୍ୟମ ସଂସ୍ଥାନ ‘ଡାଏରିଓ ଡିପ୍ରୋଟଭୋ ଓଲେ’ ରିପୋର୍ଟ କରିଥିଲା।

ସେମି ଫାଇନାଲ୍‌ରେ ଆର୍ଜେଣ୍ଟିନା ବିଜୟ ହାସଲ କରିବା ପରେ ଅବସର ନେବା ପ୍ରସଙ୍ଗରେ ‘ଡାଏରିଓ ଡିପ୍ରୋଟଭୋ ଓଲେ’କୁ କହିବା ବେଳେ ମେସି କହିଥିଲେ, ଏ କୃତ୍ବିତ୍ବ ହାସଲ କରିବାରେ ସମର୍ଥ ହୋଇଥିବାରୁ ମୁଁ ଖୁବ୍‌ ଆନନ୍ଦିତ। ଫାଇନାଲ୍‌ରେ ଶେଷ ଖେଳ ଖେଳି ବିଶ୍ବକପ୍‌ ଯାତ୍ରା ଶେଷ କରିବି। ପୁଣି ବିଶ୍ବକପ୍‌ ହେବାକୁ ଆହୁରି ଅନେକ ବର୍ଷ ଅଛି। ସେଥିରେ ମୁଁ ଖେଳି ପାରିବି କି, ନାହିଁ ଭାବି ପାରୁନି। ସବୁଠୁ ଭଲ ହେଉଛି, ଏମିତି ଖେଳରୁ ବିଦାୟ ନେଇଯିବା।

Related Posts