ଭୁବନେଶ୍ୱର,୨୪/୧୨(ସତ୍ୟପାଠ ବ୍ୟୁରୋ): ପାଲଲହଡ଼ା ଶିବ ମନ୍ଦିର ଛକରେ ଅଣ୍ଡର ବାଇପାସ୍ ନିର୍ମାଣ ଓ ପାଲଲହଡ଼ା-ତିତିରି ରାସ୍ତା ମରାମତି ଦାବିରେ ଆଜି ୧୨ ଘଣ୍ଟିଆ ପାଲଲହଡ଼ା ବନ୍ଦ ପାଳନ କରାଯାଉଛି। ପାଲଲହଡ଼ା ବିଧାୟକ ମୁକେଶ ପାଲ ଏହି ବନ୍ଦର ନେତୃତ୍ୱ ନେଉଥିବାବେଳେ ବନ୍ଦ ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି। ପାଲଲହଡ଼ାରେ ଗାଡ଼ି ଚଳାଚଳ ଓ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏହାଛଡ଼ା ସ୍କୁଲ-କଲେଜ ମଧ୍ୟ ବନ୍ଦ ରହିଥିବା ଜଣାଯାଇଛି। ଏହି ବନ୍ଦ ପାଳନକୁ ସ୍ଥାନୀୟ ଜନସାଧାରଣ, ବିଭିନ୍ନ ଅନୁଷ୍ଠାନ ଓ ସଂଘ ମଧ୍ୟ ନିଜର ସମର୍ଥନ ଜଣାଇଛନ୍ତି।

ତେବେ ପାଳଲହଡ଼ା ଉପକଣ୍ଠ ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥ ପାର୍ଶ୍ଵ ରେ ଥିବା ସର୍ବ ପୁରାତନ ଶିବ ମନ୍ଦିରକୁ ଭକ୍ତମାନଙ୍କ ଦର୍ଶନ ପାଇଁ ଯିବା ନିମନ୍ତେ ଏବଂ କାଉଁଶିରିପାଲି ଛକଠାରୁ ତିତିରି ପର୍ଯ୍ୟନ୍ତ ଦୀର୍ଘ ୭୦ କିମି ରାସ୍ତାର ମରାମତି ଦାବିରେ ଆଜି ସକାଳ ୬ଟାରୁ ବିଧାୟକ ମୁକେଶ ପାଲଙ୍କ ନେତୃତ୍ୱରେ ୧୨ ଘଣ୍ଟିଆ ପାଳଲହଡ଼ା ବନ୍ଦ ଡାକରା ଦିଆଯାଇଛି। ବିଧାୟକଙ୍କ ନେତୃତ୍ୱରେ ଜାତୀୟ ରାଜପଥ ଉପରେ ଦଳୀୟ ପଦାଧିକାରୀ କର୍ମୀ ଏବଂ ଜନସାଧାରଣ ୪୯ ନଂ ଜାତୀୟ ରାଜପଥ ଏବଂ ୧୪୯ ନଂ ଜାତୀୟ ରାଜପଥକୁ ଅବରୋଧ କରି ରଖିଛନ୍ତି। କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ଚାଲିଛି। ବ୍ୟବସାୟ ପ୍ରତିଷ୍ଠାନ, ସମସ୍ତ ଯାତ୍ରୀବାହୀ ବସ ଏବଂ ଗମନାଗମନ ଠପ୍ ହୋଇ ପଡ଼ିଛି । ଉଭୟ ଜାତୀୟ ରାଜପଥ ଉପରେ ଶହ ଶହ ମାଲବାହୀ ଟ୍ରକ୍ ଅଟକି ରହିଛି। ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖା ଯାଇଛି।