୧୦ ଫୁଟ୍‌ ଲମ୍ବ ସୁଡ଼ଙ୍ଗ ଖୋଳି ଷ୍ଟେଟ୍‌ ବ୍ୟାଙ୍କ୍‌ ଶାଖାରୁ କୋଟିଏ ଟଙ୍କାର ସୁନା ନେଇଗ‌ଲେ ଚୋର

ଭୁବନେଶ୍ୱର,୨୪/୧୨(ସତ୍ୟପାଠ ବ୍ୟୁରୋ): ୧୦ ଫୁଟ୍‌ ଲମ୍ବ ସୁଡ଼ଙ୍ଗ ଖୋଳି ଚୋରମାନେ ଉତ୍ତର ପ୍ରଦେଶର କାନପୁର ଅନ୍ତର୍ଗତ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ଶାଖାରୁ ୧ କୋଟି ଟଙ୍କାର ସୁନା ଚୋରାଇ ନେଇଥିବା କଥା ଶୁକ୍ରବାର ଦିନ ପୁଲିସ ସୂଚନା ଦେଇଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ର ଭାନୁଟି ଶାଖାକୁ ଲାଗିଥିବା ଏକ ଖାଲି ଜମିରେ ଚୋରମାନେ ପ୍ରାୟ ୪ ଫୁଟ୍‌ ଓସାର ଓ ୧୦ ଫୁଟ୍‌ ଲମ୍ବ ସୁଡ଼ଙ୍ଗ ଖୋଳି ସେ ବାଟଦେଇ ବ୍ୟାଙ୍କ୍‌ର ‌ଷ୍ଟ୍ରଙ୍ଗ୍‌ ରୁମ୍‌ ଭିତରକୁ ଯାଇ ସୁନା ଥିବା ‘ଚେଷ୍ଟ୍‌’କୁ ଭାଙ୍ଗି ସେଥିରେ ଥିବା ସୁନା ନେଇ ଯାଇଛନ୍ତି। କିନ୍ତୁ, ନଗଦ ଟଙ୍କା ଥିବା ‘ଚେଷ୍ଟ୍‌’କୁ ସେମାନେ ଭାଙ୍ଗିବାରେ ବିଫଳ ହେବାରୁ ସେଥିରେ ଥିବା ୩୨ ଲକ୍ଷ ଟଙ୍କା ନେଇ ପାରି ନାହାନ୍ତି ବୋଲି ଡେପୁଟି ପୁଲିସ କମିସନର୍‌ (ପଶ୍ଚିମ) ବିଜୟ ଢୁଲ୍‌ କହିଛନ୍ତି।

ତେବେ ଚୋରି ହୋଇଯାଇଥିବା ସୁନାର ହିସାବ ଦେବାକୁ ବ୍ୟାଙ୍କ୍‌ ଅଧିକାରୀମାନଙ୍କୁ ଦୀର୍ଘ ସମୟ ଲାଗିଥିଲା। ଚୋରି ସୁନାର ଓଜନ ପ୍ରାୟ ୧.୮ କିଲୋ ହେବ ଓ ତା’ର ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ସେମାନେ କହିଥିବା କଥା ଢୁଲ୍‌ କହିଛନ୍ତି।

ବ୍ୟାଙ୍କ୍‌ ମ୍ୟାନେଜର ନୀରଜ ରାୟ ପୁଲିସକୁ କହିଛନ୍ତି ଯେ, ଚୋରି ହୋଇଯାଇଥିବା ସୁନା ୨୯ଜଣଙ୍କର। ସେମାନେ ଏହି ସୁନା ବନ୍ଧକ ରଖି ଋଣ ନେଇଥିଲେ। ତେବେ ବ୍ୟାଙ୍କ୍‌ ଶାଖାକୁ ଲାଗିଥିବା ଏକ ଅରମା ପ୍ଲଟ୍‌ରୁ ବ୍ୟାଙ୍କ୍‌ ଭିତରକୁ ସୁଡ଼ଙ୍ଗ ଖୋଳା ହୋଇଥିବା କଥା ଡକାୟତି ଘଟଣାର ତଦନ୍ତ କରୁଥିବା ପୁଲିସ ଓ ଫୋରେନ୍‌ସିକ୍‌ ଅଧିକାରୀମାନେ ଜାଣିପାରିଛନ୍ତି ବୋଲି ସେ କହିଛନ୍ତି।

ବ୍ୟାଙ୍କ୍‌ ମ୍ୟାନେଜର ଆହୁରି କହିଛନ୍ତି ଯେ, ପେଶାଦାର ଅପରାଧୀଙ୍କ ସହାୟତାରେ ବ୍ୟାଙ୍କ୍‌ର କୌଣସି ଲୋକ ହିଁ ଏଭଳି କାର୍ଯ୍ୟ କରିଥାଇ ପାରନ୍ତି। ‌ଷ୍ଟ୍ରଙ୍ଗ୍‌ ରୁମ୍‌ରୁ ଆଙ୍ଗୁଠି ଛାପ ସମେତ ଆମେ କେତେକ ସୁରାକ ପାଇଛୁ, ଯାହା ଏହି ଚୋରି ଧରାପକାଇବାରେ ସହାୟକ ହୋଇପାରେ।ପ୍ରାରମ୍ଭିକ ତଦନ୍ତରୁ ଜଣାପଡୁଛି ଯେ, ଚୋରମାନେ ସର୍ଭେ କଲା ଭଳି ସେ ଅଞ୍ଚଳ ବୁଲିଛନ୍ତି ଏବଂ ବ୍ୟାଙ୍କ୍‌ର ନିର୍ମାଣ ଓ ସ୍ଥାପତ୍ୟ, ଷ୍ଟ୍ରଙ୍ଗ୍‌ରୁମ୍‌ ଓ ଗୋଲ୍‌ଡ୍‌ ଚେଷ୍ଟ୍‌ ବିଷୟରେ ସୁପରିଚ ଅଟନ୍ତି।

ଶୁକ୍ରବାର ସକାଳେ ବ୍ୟାଙ୍କ୍‌ କର୍ମଚାରୀମାନେ ‌ଷ୍ଟ୍ରଙ୍ଗ୍‌ରୁମ୍ ଓ ଗୋଲ୍‌ଡ୍‌ ଚେଷ୍ଟ୍‌ ଖୋଲା ଥିବା ଦେଖିବା ପରେ ଡକାୟତି ଘଟଣା ଲୋକଲୋଚନକୁ ଆସିଥିଲା ବୋଲି ପୁଲିସ କମିସନର୍‌ ବି.ପି. ଯୋଗଦଣ୍ଡ କହିଛନ୍ତି।

Related Posts