ଭୁବନେଶ୍ୱର,୨୪/୧୨(ସତ୍ୟପାଠ ବ୍ୟୁରୋ): ଛାତ୍ରୀଙ୍କ ଉପରେ ଚଢ଼ିଗଲା ମୋ ବସ। ପୁଣିଥରେ ମୋ ବସକୁ ନେଇ ଏଭଳି ଖବର ସାମ୍ନାକୁ ଆସିଛି । ଖଣ୍ଡଗିରି ଜାଗମରା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଛାତ୍ରୀଙ୍କୁ ମୋ ବସ ଧକ୍କା ଦେବା ଫଳରେ ଗୁରୁତର ଅବସ୍ଥାରେ ଛାତ୍ରୀ ଜଣଙ୍କୁ ହସପିଟାଲରେ ଭର୍ତି କରାଯାଇଛି ।ମୋ ବସ୍ ଚାଳକଙ୍କ ଅବହେଳା ପାଇଁ ଛାତ୍ରୀ ଜଣଙ୍କ ଗୁରୁତର ହୋଇ ପଡିଛନ୍ତି । ଘଟଣା ସ୍ଥଳରେ ଉତେଜନା ପରେ ପୁଲିସ ପହଂଚି ବୁଝାସୁଝା କରିଛି । ତେବେ ବାରମ୍ବାର ମୋ ବସ୍ ଚାଳକଙ୍କୁ ନେଇ ଅଭିଯୋଗ ହେଉଥିଲେ ବି ସେମାନଙ୍କ ବେପରୁଆ ଗାଡି ଚାଳନା ଯେପରି ସୁଧୁରୁ ନାହିଁ ।
ତେବେ ଗତ ନଭେମ୍ବର ମାସରେ ବି ଏଭଳି ଘଟଣା ସାମ୍ନାକୁ ଆସିଥିଲା । ମୋ ବସ୍ ଚଢାଇଦେବାରୁ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ୟୁନିଟ୍ – ୮ ବାଳକ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀର ଛାତ୍ର ମୋ ବସ୍ ଆକ୍ସିଡେଂଟ୍ ଶୀକାର ହୋଇ ପ୍ରାଣ ହରାଇଥିଲେ । ବେପରୁଆ ଗାଡିଚାଳନା ଯୋଗୁଁ ପ୍ରତିଦିନ ଭୁବନେଶ୍ୱରରେ କିଛି ନା କିଛି ଦୁର୍ଘଟଣା ଘଟୁଛି । ସେହି କାରଣ ଯୋଗୁଁ ଜଣେ ସପ୍ତମ ଶ୍ରେଣୀ ଛାତ୍ର ପ୍ରାଣ ହରାଇଥିଲେ । ଘଟଣାକୁ ନେଇ ପରିବାର ଲୋକେ ଖଣ୍ଡଗିରି ଥାନାରେ ଏତଲା ବି ଦେଇଥିଲେ । ରାଜଧାନୀରେ ମୋ ବସ ବିରୁଦ୍ଧରେ ବଢୁଛି ଅଭିଯୋଗର ଫର୍ଦ୍ଦ । ସୂଚନା ଅନୁସାରେ, ଜାନୁଆରୀରୁ ବର୍ତମାନ ସୁଦ୍ଧା ସହର ଭିତରେ ମୋ ବସ ୬ଜଣଙ୍କୁ ମାରିସାରିଛି । କୁହାଯାଉଛି, ବେପରୁଆ ଭାବରେ ଦ୍ରୁତ ଗତିରେ ଗାଡିଚାଳନା ଯୋଗୁଁ ବଢୁଛି ଦୁର୍ଘଟଣା ।
ସେହିଭଳି ଗତ ଅଗଷ୍ଟ ମାସରେ ମଧ୍ୟ ମୋ ବସ୍ ଚାଳକଙ୍କ ବେପରୁଆ ଗାଡି ଚାଳନା ପାଇଁ ହନ୍ତସନ୍ତ ହୋଇଥିଲେ ଯାତ୍ରୀ । ଭୁଲ୍ ରାସ୍ତା ଦେଇ ବସ୍ ନେଇଯିବାରୁ ବର୍ଷା ପାଣିରେ ବୁଡି ଯାଇଥିଲା ବସ୍ । ଫଳରେ ଯାତ୍ରୀଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ବେକ ଯାଏଁ ପାଣିରେ ଫସିଯାଇଥିଲେ ଯାତ୍ରୀ ।
