ଭୁବନେଶ୍ୱର,୨୫/୧୨(ସତ୍ୟପାଠ ବ୍ୟୁରୋ): ରାଜଧାନୀକୁ ପୁଣି ଫେରିଲା ପଥୋତ୍ସବ । ଆଜି ସକାଳୁ ସକାଳୁ ରାଜଧାନୀ ଜନପଥର ମାଷ୍ଟରକ୍ୟାଣ୍ଟିନ ଛକଠାରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ ହୋଇଥିଲା ଲୋକାରଣ୍ୟ । ବଡ଼ଦିନ ପାଇଁ ଲୋକଙ୍କ ମନରେ ଖୁବ ଉତ୍ସାହ ଭରିଯାଇଛି । ପଥୋତ୍ସବରେ ଭଳି କି ଭଳି କାର୍ଯ୍ୟକ୍ରମ ଲୋକଙ୍କୁ ଆକର୍ଷିତ କରିଛି । କେଉଁଠି ନାଚ ଗୀତ ତ କେଉଁଠି କ୍ରୀଡ଼ା କସରତ । ଚିତ୍ରାଙ୍କନ ପ୍ରତିଯୋଗୀତା ସହିତ ସ୍ୱାସ୍ଥ୍ୟ ଶିବିର ଲୋକଙ୍କ ମନ ମୋହିଛି ।

ଅନେକ ସ୍ଥାନରେ ଭଜନ, ଆଧୁନିକ ଗୀତରେ ନୃତ୍ୟ ପରିବେଷଣ କରିଛନ୍ତି କଳାକାର । ହକି ବିଶ୍ୱ କପ୍ ପାଇଁ ରାଜଧାନୀକୁ ସୁନ୍ଦର ଭାବେ ସଜାଯାଉଛି । ଏହି ସମୟରେ ଶୀତକୁ ଖାତିର ନକରି ଜନପଥକୁ ଛୁଟିଛନ୍ତି ରାଜଧାନୀବାସୀ । କୁନି କୁନି ପିଲା ସ୍କେଟିଂ କରି ଏପଟ ସେଟର ଘୁରି ବୁଲୁଛନ୍ତି । ଆଗକୁ ପ୍ରତି ରବିବାର ପଥୋତ୍ସବ ହେବ । ଆଜିର କାର୍ଯ୍ୟକ୍ରମରେ ଭୁବନେଶ୍ବରର ସମସ୍ତ ବିଧାୟକ, ପର୍ଯ୍ୟଟନ ମନ୍ତ୍ରୀ, କ୍ରୀଡା ମନ୍ତ୍ରୀ, ଭୁବନେଶ୍ଵରର ମେୟର, କର୍ପୋରେଟର ଓ କମିଶନର ପ୍ରମୁଖ ଯୋଗ ଦେଇଥିଲେ ।

ଦୁଇଟି ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ, ସମ୍ୱଲପୁରୀ ଡ୍ୟାନ୍ସ ଗ୍ରୁପ, ରକ୍ ବ୍ୟାଣ୍ଡ ସହିତ ଓଡ଼ିଶୀର ତାଳେ ତାଳେ ଝୁମିଥିଲେ କଳାକାର ଓ ଦର୍ଶକ ।