ଭୁବନେଶ୍ଵର,୨୯/୧୨(ସତ୍ୟପାଠ ବ୍ୟୁରୋ): ଆସନ୍ତା ୨୦୨୩, ଜାନୁୟାରୀ ୧୩ରୁ ଓଡ଼ିଶାର ଭୁବନେଶ୍ୱର ଓ ରାଉରକେଲାରେ ଆରମ୍ଭ ହେବ ହକି ବିଶ୍ବକପ୍। ହାତରେ ଆଉ ମାତ୍ର ଦୁଇ ସପ୍ତାହର ସମୟ ରହିଛି। ବିଶ୍ଵକପ ପାଇଁ ଭାରତୀୟ ଦଳ ମଧ୍ୟ ଓଡ଼ିଶାରେ ପହଞ୍ଚିସାରିଛି। ତେବେ ବିଶ୍ବକପ୍ରେ ଭାରତୀୟ ଦଳର ଉତ୍ସାହ ବୃଦ୍ଧି ପାଇଁ ହକି ଇଣ୍ଡିଆ ପକ୍ଷରୁ ପୁରସ୍କାର ରାଶି ଘୋଷଣା କରାଯାଇଛି। ବିଶ୍ବକପ୍ରେ ଯଦି ଭାରତ ବିଜେତା ହୁଏ ତାହେଲେ ହର୍ମନପ୍ରୀତ୍ ସିଂହଙ୍କ ନେତୃତ୍ବାଧୀନ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଏବଂ ସହଯୋଗୀ କର୍ମଚାରୀଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବାକୁ ଘୋଷଣା କରାଯାଇଛି। ଏହା ବ୍ୟତୀତ ଯଦି ଭାରତ ଏହି ବିଶ୍ୱକପରେ ଉପବିଜେତା ହୁଏ, ତେବେ ପ୍ରତ୍ୟେକ ସଦସ୍ୟଙ୍କୁ ୧୫ ଲକ୍ଷ ଓ ସହଯୋଗୀଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ। ସେହିପରି କାଂସ୍ୟ ପଦକ ପାଇଲେ ବା ତୃତୀୟ ସ୍ଥାନରେ ରହିଲେ ଏହି ରାଶି ଯଥାକ୍ରମେ ୧୦ ଲକ୍ଷ ଓ ୨ ଲକ୍ଷକୁ ହ୍ରାସ ପାଇବ ବୋଲି ଘୋଷଣାରେ କରାଯାଇଛି।
ତେବେ ଶେଷଥର ପାଇଁ ଭାରତୀୟ ଦଳ ୧୯୭୫ରେ ମାଲେସିଆର କୁଆଲାଲୁମ୍ପୁରରେ ଖେଳାଯାଇଥିବା ବିଶ୍ବକପ୍ ଫାଇନାଲ୍ରେ ପାକିସ୍ତାନକୁ ହରାଇ ବିଶ୍ବ ବିଜେତା ହୋଇଥିଲା। ୪୭ ବର୍ଷ ଧରି ଭାରତ ଆଉ ଟ୍ରଫି ଜିତିବାର ସୁଯୋଗ ପାଇନଥିବାରୁ ଏବେ ଘରୋଇ ସଂସ୍କରଣରେ ଏହି ସଫଳତା ହାସଲ କରିବ ବୋଲି ହକି ଇଣ୍ଡିଆ ଆଶା ରଖିଛି। ଏଥିପାଇଁ ଗତ ୨୪ ତାରିଖରେ ହକି ଇଣ୍ଡିଆ କାର୍ଯ୍ୟନିର୍ବାହୀ ସମିତିର ଭର୍ଚୁଆଲ୍ ବୈଠକ କରାଯାଇ ଅର୍ଥ ପୁରସ୍କାର ନିଷ୍ପତ୍ତି ଉପରେ ମୋହର ମରାଯାଇଥିଲା।
ଏସଂପର୍କରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି କହିଛନ୍ତି ଯେ, ପୁରୁଷ ବିଶ୍ବକପ୍ରେ ଭାରତର ପୋଡିୟମ ଫିନିସ କରିବା ଏତେ ସହଜ ହେବନି। ତଥାପି ଏହି ଘୋଷଣା ଦ୍ବାରା ଖେଳାଳିମାନଙ୍କ ମନୋବଳ ବୃଦ୍ଧି ହେବ। ବିଶ୍ବକପ୍ରେ ଯେକୌଣସି ପଦକ ଜିତିଲେ ବି ଭାରତୀୟ ଦଳ ଓ ଖେଳାଳିଙ୍କ ପାଇଁ ସ୍ମରଣୀୟ ହେବ ବୋଲି ସେ ପ୍ରକାଶ କରିଛନ୍ତି।
ପୂର୍ବରୁ ବିଶ୍ବକପ୍ ଇତିହାସରେ ଭାରତ ତିନିଥର ପଦକ ଜିତିବାରେ ସଫଳ ହୋଇଛି। ୧୯୭୧ ପ୍ରଥମ ସଂସ୍କରଣରେ ଭାରତ କାଂସ୍ୟ ଜିତିଥିଲା ବେଳେ ୧୯୭୩ରେ ରୌପ୍ୟ ଓ ୧୯୭୫ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲା। ଏବେ ପୁଣି ଥରେ ଭାରତକୁ ପଦକ ଧାରାକୁ ଫେରାଇ ଆଣିବା ପାଇଁ ହକି ଇଣ୍ଡିଆ ବଳିଷ୍ଠ ପଦକ୍ଷେପ ନେଇଛି। ଭୁବନେଶ୍ବର ଆସିବା ପୂର୍ବରୁ ଅଷ୍ଟ୍ରେଲିଆରେ ଶୃଙ୍ଖଳା ଖେଳି ବିଶ୍ବକପ୍ ପାଇଁ ପ୍ରସ୍ତୁତି କରିଛି। ବିଶ୍ବକପ୍ ପାଇଁ ଭାରତ ପୁଲ୍ ଡି’ରେ ୱେଲ୍ସ, ସ୍ପେନ୍ ଓ ଇଂଲଣ୍ଡ ବିପକ୍ଷରେ ପ୍ରତିଦ୍ବନ୍ଦ୍ବିତା କରିବ।





