ଭୁବନେଶ୍ଵର,୩୦/୧୨(ସତ୍ୟପାଠ ବ୍ୟୁରୋ): କର୍କଟରେ ପୀଡ଼ିତ ହୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ବ୍ରାଜିଲ୍ର କିମ୍ବଦନ୍ତୀ ଫୁଟବଲ ଖେଳାଳି ପେଲେଙ୍କ ଦେହାନ୍ତ ହୋଇଯାଇଛି। ଗୁରୁବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଥିବା ନେଇ ଖବର ମିଳିଛି। ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁରେ ସାରା ବିଶ୍ୱରେ ଶୋକର ଛାୟା ଖେଳିଯାଇଛି।
ସୂଚନାଯୋଗ୍ୟ ଯେ, ଫୁଟବଲ ଖେଳିବାରେ ସର୍ବଶ୍ରେଷ୍ଠ ଖେଳାଳି ଭାବରେ ପ୍ରଶଂସିତ ହୋଇଥିବା ପେଲେଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଗତ କିଛିଦିନ ହେଲା ଅବନତି ଦେଖାଦେଇଥିଲା। ଗତ ରବିବାର ଦିନ ତାଙ୍କ ପରିବାର ଓ ନିକଟ ସମ୍ପର୍କୀୟ ବ୍ୟକ୍ତିମାନେ ପେଲେଙ୍କ ପାଖରେ ଖ୍ରୀଷ୍ଟମାସ ପାଳନ କରିଥିଲେ। କିନ୍ତୁ ୮୨ ବର୍ଷୀୟ ପେଲେ ତାଙ୍କ ଜୀବନର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବାରୁ ସମସ୍ତେ ଚିନ୍ତିତ ଥିଲେ। ରବିବାର ମଧ୍ୟରାତ୍ର ପର୍ଯ୍ୟନ୍ତ ପେଲେଙ୍କ ପରିବାର ଲୋକମାନେ ଅଧିକ ସଂଖ୍ୟାରେ ଆଲବର୍ଟ ଆଇନଷ୍ଟାଇନ୍ ହସପିଟାଲକୁ ଆସୁଥିବାରୁ ତାଙ୍କ ସ୍ଥିତି ଗମ୍ଭୀର ଥିବା ସ୍ପଷ୍ଟ ସୂଚନା ମିଳିଥିଲା। ଏପରିକି ମୃତ୍ୟୁଶଯ୍ୟାା ପ୍ରସ୍ତୁତ କରାଯାଉଥିବା ଏକ ଗଣମାଧ୍ୟମ ସୂଚନା ଦେଇଥିଲା। ପୂର୍ବରୁ ତାଙ୍କ ଝିଅ କେଲି କ୍ରିଷ୍ଟିଆନା ନାସ୍କିମେଣ୍ଟୋ ମଧ୍ୟ ପିତାଙ୍କ ସହ ହସପିଟାଲରେ ରହି ରହିଥିଲେ।
୨୦୨୧ରେ କଲନ୍ରୁ ଟ୍ୟୁମର ବାହାରିବା ପରଠୁ ସେ କର୍କଟରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଗତ ନଭେମ୍ବର ୨୯ ତାରିଖରେ ତାଙ୍କୁ ସାଓ ପାଓଲୋସ୍ଥିତ ଆଲବର୍ଟ ଆଇନ୍ଷ୍ଟାଇନ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। କେମୋଥେରାପି ଆଉ କାମ ଦେଉନଥିବାରୁ ତାଙ୍କୁ ପାଲିଆଟିଭ୍ କେୟାରରେ ରଖାଯାଇଥିଲା।
ତେବେ ପେଲେ ହେଉଛନ୍ତି ବିଶ୍ବର ଏକମାତ୍ର ଖେଳାଳି ଯିଏକି ତିନି ଥର ଫିଫା ବିଶ୍ବକପ୍ ଜିତିବାର ଗୌରବ ହାସଲ କରିଛନ୍ତି। ଗତ ବିଶ୍ବକପ୍ ମ୍ୟାଚ୍ ବେଳେ ସେ ହସପିଟାଲ ବେଡ୍ରେ ଥାଇ ବ୍ରାଜିଲ ଟିମ୍କୁ ଉତ୍ସାହିତ କରିଥିଲେ। ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରୀଡ଼ା ଜୀବନ ଆରମ୍ଭ କରିଥିବା ଏହି ମହାନ ଖେଳାଳି ୯୨ ମ୍ୟାଚ୍ରେ ୭୭ ଗୋଲ୍ ଦେଇ ସର୍ବକାଳୀନ ଗୋଲ୍ ସ୍କୋରର୍ ହେବାର ଗୌରବ ଅର୍ଜନ କରିଥିଲେ। ୩ ଫିଫା ବିଶ୍ବକପ୍ (୧୯୫୮, ୧୯୬୨ ଓ ୧୯୭୦) ବିଜୟୀ ଦଳର ସଦସ୍ୟ ରହିବାରେ ସେ ଥିଲେ ଏକମାତ୍ର ଖେଳାଳି। ଏହି ବ୍ରାଜିଲ୍ ତାରକା ୧୮ ବର୍ଷ ବୟସରେ ପ୍ରଥମଥର ବିଶ୍ବକପ୍ ଜିତିଥିଲେ। ୧୯୫୮ରେ ହୋଇଥିବା ଏହି ବିଶ୍ବକପ୍ର ସ୍ବିଡେନ୍ ବିପକ୍ଷ ଫାଇନାଲ୍ରେ ଦୁଇଟି ଗୋଲ୍ ଦେବା ସହ ମୋଟ ୬ ଗୋଲ୍ ସ୍କୋର କରିଥିଲେ। ୧୯୬୨ ବିଶ୍ବକପ୍ରେ ସେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ୧୯୭୦ ବିଶ୍ବକପ୍ ଫାଇନାଲ୍ରେ ତାଙ୍କ ପ୍ରାରମ୍ଭିକ ଗୋଲ୍ରେ ବ୍ରାଜିଲ ୪-୧ରେ ଇଟାଲିକୁ ମାତ୍ ଦେଇଥିଲା। ସେ ବ୍ରାଜିଲୀୟ କ୍ଲବ୍ ସାଣ୍ଟୋସ୍ ପକ୍ଷରୁ ସବୁଠୁ ଅଧିକ ସମୟ ଖେଳିଥିଲେ। ଏହି କ୍ଲବ୍ ପାଇଁ ମଧ୍ୟରେ ୬୫୯ ମ୍ୟାଚ୍ ଖେଳି ୬୪୩ ଗୋଲ୍ କରିଥିଲେ।





