ଭୁବନେଶ୍ୱର,୨/୧(ସତ୍ୟପାଠ ବ୍ୟୁରୋ): ଚଳିତ ବର୍ଷ ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ବକପ୍ ଲାଗି ବିସିସିଆଇ ୨୦ ଜଣ ଖେଳାଳିଙ୍କୁ ମନୋନୀତ କରିଛି। ଏହି ଖେଳ‌ାଳିଙ୍କୁ ନେଇ ବିଶ୍ବକପ୍‌ ପ୍ରସ୍ତୁତିରେ ଲାଗିପଡ଼ିବ ବିସିସିଆଇ। ୨୦୨୩ ଅକ୍ଟୋବର-ନଭେମ୍ବରରେ ଭାରତରେ ଦିନିକିଆ ବିଶ୍ବକପ୍‌ ଖେଳାଯିବ। ୧୨ ବର୍ଷ ତଳେ ଭାରତ ଶେଷ ଥର ପାଇଁ ଦିନିକିଆ ବିଶ୍ବକପ୍‌ ଜିତିବା ପରଠାରୁ ଆଉ କୌଣସି ଫର୍ମାଟ ବିଶ୍ବକପ୍‌ ହାସଲ କରିନାହିଁ।

ଗତବର୍ଷର ଟ୍ବଣ୍ଟି-୨୦ ବିଶ୍ବକପ୍‌ ବିଫଳତାକୁ ମନ୍ଥନ ପାଇଁ ରବିବାର ବିସିସିଆଇ ଏକ ସମୀକ୍ଷା ବୈଠକ ଡାକିଥିଲା। ଏଥିରେ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼, ବିସିସିଆଇ ସମ୍ପାଦକ ଜୟ ସାହ, ଅଧିନାୟକ ରୋହିତ ଶର୍ମା, ବିଦାୟୀ ମୁଖ୍ୟ ଚୟନକର୍ତା ଚେତନ ଶର୍ମା, ଏନ୍‌ସିଏ ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ପ୍ରାୟ ୪ ଘଣ୍ଟା ଧରି ବିଶ୍ବକପ୍ ପ୍ରଦର୍ଶନର ରୋମନ୍ଥନ କରିଥିଲେ। ଶେଷକୁ କିଛି ପ୍ରମୁଖ ନିଷ୍ପତ୍ତିରେ ପହଞ୍ଚିଥିଲେ। ଦ୍ବିପାକ୍ଷିକ ଶୃଙ୍ଖଳା, ଅନ୍ତର୍ଜାତୀୟ କ୍ରିକେଟ୍ ଆଦିକୁ ଅଗ୍ରାଧିକାର ଦେବାକୁ ନିଷ୍ପତ୍ତି ହୋଇଛି। ବିସିସିଆଇ ସଭାପତି ରୋଜର ବିନ୍ନି ମଧ୍ୟ ଭିଡିଓ କନଫରେନସିଂରେ ଏହି ବୈଠକରେ ସାମିଲ ହୋଇଥିଲେ। ‘ଏହି ବୈଠକ ଗଠନମୂଳକ ଓ ଫଳପ୍ରଦ ରହିଲା। ଅତୀତ ପ୍ରଦର୍ଶନର ସମୀକ୍ଷା କରିବା ସହ ଭବିଷ୍ୟତ ଇଭେଣ୍ଟଗୁଡ଼ିକ ପାଇଁ ଯୋଜନା କରାଯାଇଥିଲା। ଦିନିକିଆ ବିଶ୍ବକପ୍‌ ଏବଂ ବିଶ୍ବ ଟେ‌ଷ୍ଟ୍ ପ୍ରତିଯୋଗିତା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି। ଆଇପିଏଲ୍‌କୁ ଦୁର୍ବଳ ହେବାକୁ ନଦେଇ କିଭଳି ଅନ୍ତର୍ଜାତୀୟ କ୍ରି‌କେଟ୍ ଗୁରୁତ୍ବ ପାଇବ ସେ ସଂପର୍କରେ ବିଚାର କରାଯାଇଛି’ ବୋଲି ବୈଠକରେ ଅଂଶଗ୍ରହଣ କରିଥିବା ଜଣେ ବିସିସିଆଇ ଅଧିକାରୀ ପ୍ରକାଶ କରିଛନ୍ତି।

ଖେଳାଳିଙ୍କ ଉପଲବ୍‌ଧ ପ୍ରସଙ୍ଗ ସହିତ ସେମାନଙ୍କ କାର୍ଯ୍ୟବ୍ୟସ୍ତତା ପରିଚାଳନା, ଫିଟନେସ୍‌ ମାନଦଣ୍ଡ ଧାର୍ଯ୍ୟ କରି ୨୦୨୩ ଦିନିକିଆ ବିଶ୍ବକପ୍‌ ରୋଡମ୍ୟାପ୍‌ ପ୍ରସ୍ତୁତ କରାଯାଇଛି। ଆଇପିଏଲ୍‌ରେ ଅଂଶଗ୍ରହଣ କରୁଥିବା ଭାରତୀୟ ଖେଳାଳିଙ୍କ ଫିଟନେସ୍ ପରିଚାଳନା ମଧ୍ୟ ଏନ୍‌ସିଏରେ କିଭଳି ଭଲ ଭାବେ ହେବ ଗୁରୁତ୍ବ ଦିଆଯାଇଛି। ମନୋନୟନ ପାଇଁ ୟୋ ୟୋ ଟେଷ୍ଟ୍ ଏବଂ ଡେକ୍ସା ମୁଖ୍ୟ ମାନଦଣ୍ଡ ରହିବ ବୋଲି ମଧ୍ୟ ବିସିସିଆଇ ଏକ ବିବୃତ୍ତିରେ ପ୍ରକାଶ କରିଛି।

ଉଦୀୟମାନ ଖେଳାଳିଙ୍କୁ ଘରୋଇ କ୍ରିକେଟ୍‌ ଖେଳିବାକୁ ହେବ

ବିସିସିଆଇ ପ୍ରେସ୍ ବିଜ୍ଞପ୍ତିରୁ ଏକଥା ମଧ୍ୟ ସ୍ପଷ୍ଟ ହୋଇଛି ଜାତୀୟ ଦଳକୁ ଆସିବାକୁ ହେଲେ ଉଦୀୟମାନ ଖେଳାଳିଙ୍କୁ ପର୍ଯ୍ୟାପ୍ତ ପରିମାଣର ଘରୋଇ କ୍ରିକେଟ୍ ଖେଳିବାକୁ ହେବ। କେବଳ ଆଇପିଏଲ୍‌ ଖେଳି ଭାରତୀୟ ଦଳକୁ ଆସିବାର ଆକାଂକ୍ଷାକୁ ଗୁରୁତ୍ବ ଦିଆଯିବ ନାହିଁ। ସମସ୍ତ ଘରୋଇ କ୍ରିକେଟ୍‌ରେ ଭଲ ପ୍ରଦର୍ଶନ କରୁଥିଲେ ଜାତୀୟ ଦଳକୁ ଯୋଗ୍ୟତା ଅର୍ଜନ ଭାବେ ବିବେଚନା କରାଯିବ। କିଛି ଖେଳାଳି କେବଳ ଆଇପିଏଲ୍‌କୁ ଗୁରୁତ୍ବ ଦେଉଥିବାରୁ ବିସିସିଆଇ ଏଭଳି ଆଭିମୁଖ୍ୟକୁ ନାପସନ୍ଦ କରିଛି।