ଭୁବନେଶ୍ୱର,୩/୧(ସତ୍ୟପାଠ ବ୍ୟୁରୋ): ନୂଆବର୍ଷ ଆରମ୍ଭରୁ ଲିଙ୍ଗରାଜ ମନ୍ଦିରରେ ବିଭ୍ରାଟ ଦେଖାଦେଇଛି। ଗତ ରବିବାରରୁ ମନ୍ଦିରରେ ଅଚଳାବସ୍ଥା ଜାରି ରହିଛି । ଲଗାତାର ତିନି ଦିନ ହେଲା ଉପାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ । ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଭୋଗ ମାରା ହେବାକୁ ନେଇ ବିବାଦରୁ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି ।

ଏନେଇ ଲିଙ୍ଗରାଜଙ୍କ ସେବା କରୁଥିବା ବଡୁ ନିଯୋଗ କହିଛି ଯେ, ନୂଆବର୍ଷ ଦିନ ଲିଙ୍ଗରାଜଙ୍କ ଭୋଗମଣ୍ଡପକୁ ଜଣେ ଅଣସେବାୟତ ପଶିଯିବାରୁ ଭୋଗ ମାରା ହୋଇଥିଲା । ମାରା ହୋଇଥିବା ସମ୍ପୂର୍ଣ୍ଣ ଭୋଗକୁ ଅମଣିଆ କୂଅରେ ପକାଯିବା ପରମ୍ପରା ରହିଛି । କିନ୍ତୁ ଏହା କରାନଯାଇ ଭୋଗକୁ ଭକ୍ତଙ୍କୁ ବଂଟାଯାଇଥିବା ଅଭିଯୋଗ ହେଉଛି । ସେପଟେ ଭୋଗ ବିକ୍ରୀ କରୁଥିବା ବ୍ରାହ୍ମଣ ନିଯୋଗ ଓ ମହାସୁଆର ନିଯୋଗ କହିଛି , ସମସ୍ତ ଭୋଗକୁ ପୋତାଯାଇଛି । ଆବଶ୍ୟକ ହେଲେ ସିସିଟିଭି ଯାଞ୍ଚ କରାଯାଉ ବୋଲି ବ୍ରାହ୍ମଣ ନିଯୋଗ କହିଛି ।

ଏହି ବିବାଦରୁ ନୀତିକାନ୍ତି ବନ୍ଦ ରହିଛି ଓ ଦୁଇ ନିଯୋଗ ପରସ୍ପରକୁ ଦୋଷ ଦେଉଛନ୍ତି । ଅଚଳାବସ୍ଥା ତୁଟାଇବାକୁ କାଲି ବୈଠକ ଡାକିଥିଲେ ପ୍ରଶାସନ, କିନ୍ତୁ ବୈଠକକୁ ବ୍ରାହ୍ମଣ ନିଯୋଗ ସଦସ୍ୟ ନ ଆସିବାରୁ ନିଷ୍କର୍ସ ବାହାରି ପାରିନାହିଁ । ନୀତିକାନ୍ତି ସ୍ୱାଭାବିକ କରିବା ପାଇଁ ସମାଧାନର ବାଟ ଫିଟୁନାହିଁ, ଓଲଟା ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଟଣା ଓଟରା ବଢିଛି । ସେପଟେ ପ୍ରସାଦ ନ ପାଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।