ଭୁବନେଶ୍ୱର,୩/୧(ସତ୍ୟପାଠ ବ୍ୟୁରୋ): ଯୋଡ଼ା ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ମୋଡ଼ ଆସିବାରେ ଲାଗିଛି । ସୂଚନା ଅନୁସାରେ ମୃତ୍ୟୁର ୧୦ ଦିନ ପୂର୍ବରୁ ଅର୍ଥାତ ଗତ ଡିସେମ୍ବର ୨୦ ତାରିଖରେ ଶୁଭଶ୍ରୀ ଯୋଡ଼ା ଥାନାରେ ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନ ମାଝୀଙ୍କ ନାମରେ ଦୁଷ୍କର୍ମ ମାମଲା ଅଭିଯୋଗ କରିଥିଲେ। ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଡାକ୍ତର ଦିବ୍ୟରଞ୍ଜନ ମାଝୀ ପରେ ବିବାହ ପାଇଁ ମନା କରିଦେବାରୁ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ତ ହୋଇଥିଲେ ଡାକ୍ତର ଶୁଭଶ୍ରୀ କର । ସେହିଦିନ ବଡ଼ବିଲ୍ ଜେଏମ୍ଏଫସି କୋର୍ଟରେ ଶୁଭଶ୍ରୀଙ୍କ ୧୬୪ ବୟାନ ମଧ୍ୟ ରେକର୍ଡ ହୋଇଥିଲା। ସେଠାରେ ଉଭୟ ପକ୍ଷ ମଧ୍ୟରେ ଆପୋଷ ସମାଧାନ ହୋଇ ଯାଇଥିବା ବେଳେ ମାମଲା ଆଉ ଆଗକୁ ବଢ଼ି ନ ଥିଲା।

ଏହାପରେ ଉକ୍ତ ଦିନ ହିଁ ଦିବ୍ୟରଞ୍ଜନ ନୁଆଗାଁ ଡିସ୍ପେନସାରୀରୁ ମେଡିକାଲ ଅଫିସର ପଦରୁ ଇସ୍ତଫା ଦେଇଥିଲେ। ନିଜ ଇସ୍ତଫା ପତ୍ରରେ ଦିବ୍ୟରଞ୍ଜନ ବିବାହ ନିମନ୍ତେ ଭୁବନେଶ୍ୱର ଯାଉଥିବା ଉଲ୍ଲେଖ କରିଛନ୍ତି। ତେବେ ଥାନାରେ ଏତଲା ଦେବା ଦିନ ହିଁ ନିଜ ପଦରୁ ଦିବ୍ୟାରଞ୍ଜନ ଇସ୍ତଫା ଦେବା ବହୁ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଶୁଭଶ୍ରୀଙ୍କ ମୃତ୍ୟୁ ପଛରେ ଦିବ୍ୟରଞ୍ଜନଙ୍କ ଭୂମିକାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ତାଙ୍କ ନିଖୋଜ ବୟଫ୍ରେଣ୍ଡଙ୍କୁ ଖୋଜିବାକୁ ଅଣ୍ଟା ଭିଡିଛି ପୁଲିସ୍‌।ଏଥିନିମନ୍ତେ ଏକ ସ୍ୱତନ୍ତ୍ର ଟିମ୍‌ ଗଠିତ ହୋଇଛି। ତେବେ ବର୍ତ୍ତମାନ ଦିବ୍ୟରଞ୍ଜନଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ହୋଇଥିବାରୁ ତାଙ୍କୁ ଖୋଜିବାକୁ ବିଭିନ୍ନ ସ୍ଥାନକୁ ଯାଉଛି ସ୍ୱତନ୍ତ୍ର ଟିମ୍‌ । ଏହି ଟିମ୍‌ ନୁଆଗାଁ ଡିସ୍ପେନସାରୀକୁ ଯାଇଥିବା ବେଳେ ସେଠାରେ ନିୟୋଜିତ କର୍ମଚାରୀଙ୍କୁ ପଚରାପଚରି କରି ଫେରିଥିବା ଜଣାଯାଇଛି।

ଶୁଭଶ୍ରୀ ମୃତ୍ୟୁ ମାମଲା ଏକ ସମ୍ବେଦନଶୀଳ ଓ ସ୍ପର୍ଶକାତର ଘଟଣା ହୋଇଥିବାରୁ ଏହି ମାମଲାରେ ମାପିଚୁପି ପାଦ ବଢ଼ାଉଛି ପୁଲିସ୍‌। ଶୁଭଶ୍ରୀଙ୍କ ମୃତ୍ୟୁ ବିଷକ୍ରିୟାରୁ ହୋଇଥିବା ସ୍ପଷ୍ଟ ହେବା ପରେ ପ୍ରେମରେ ଖାଇଥିବା ଧୋକା ହେତୁ ସେ ଏପରି ଚରମ ପଦକ୍ଷେପ ଉଠାଇଥିବା ଆଲୋଚନା ହେଉଛି। ତେଣୁ ତାଙ୍କ ବୟଫ୍ରେଣ୍ଡ ଦିବ୍ୟରଞ୍ଜନଙ୍କୁ ଖୋଜିବାକୁ କେନ୍ଦୁଝର ପୁଲିସ୍‌ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିବା ଏଏସ୍‌ପି ସୂଚନା ଦେଇଛନ୍ତି।