ଆମାଜନ କର୍ମଚାରୀଙ୍କୁ ଝଟକା; ୧୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ନୋଟିସ ଜାରି କଲା କମ୍ପାନୀ

ଭୁବନେଶ୍ୱର,୫/୧(ସତ୍ୟପାଠ ବ୍ୟୁରୋ): ସମଗ୍ର ବିଶ୍ୱରେ ମାନ୍ଦାବସ୍ଥା ଯୋଗୁଁ ବହୁ ଅନ୍ତଃରାଷ୍ଟ୍ରୀୟ କମ୍ପାନୀ ଗୁଡ଼ିକ ନିଜ ନିଜ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି। ଏହି କ୍ରମରେ ଆମାଜନର କର୍ମଚାରୀଙ୍କୁ ଲାଗିଛି ବଡ ଝଟକା । ଟ୍ଵିଟର ଏବଂ ମେଟା ପରେ ବିଶ୍ୱର ଅନ୍ୟତମ ବଡ କମ୍ପାନୀ ଆମାଜନ ମଧ୍ୟ କର୍ମଚାରୀ ଛଟେଇ ପାଇଁ ନିଷ୍ପତ୍ତି ନେଇଛି । ମାନ୍ଦାବାସ୍ଥା କାରଣ ଦର୍ଶାଇ ପ୍ରାୟ ୧୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ବୁଧବାର ଦିନ ‘ଆମାଜନ୍’ ଘୋଷଣା କରିଛି। କମ୍ପାନୀର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଆଣ୍ଡି ଜେସି ଏହା ବିଷୟରେ ସୂଚନା ଦେଇଛନ୍ତି।

କମ୍ପାନୀ ତରଫରୁ ଆଣ୍ଡି ଏକ ନୋଟିସ ଜାରି କରି କହିଛନ୍ତି ଯେ, ଆମେ ୧୮,୦୦୦ରୁ ଅଧିକ କର୍ମଚାରୀ ଛଟେଇ କରିବାକୁ ଯୋଜନା କରିଛୁ। ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରାଯିବ ବୋଲି ନଭେମ୍ବର ମାସରେ କମ୍ପାନୀ ଘୋଷଣା କରିଥିଲା। ଛଟେଇ ଯୋଗୁଁ ଲୋକଙ୍କୁ ଅସୁବିଧା ହେବ ବୋଲି କମ୍ପାନୀର ନେତୃତ୍ବ ସଚେତନ ରହିଛନ୍ତି । ସେଥିପାଇଁ, ଖାମଖିଆଲି ଭାବେ ଆମେ ଏ ନିଷ୍ପତ୍ତି ଗ୍ରହଣ କରିନାହୁଁ। ସେଥିପାଇଁ କର୍ମଚାରୀମାନେ ଯେଭଳି ହଇରାଣ ନ ହୁଅନ୍ତି , ସେଥିପାଇଁ ସେମାନଙ୍କୁ ସାହାଯ୍ୟ କରିବା ଲାଗି ଆମେ ‘ସେପାରେସନ୍ ପେମେଣ୍ଟ୍’, ‘ଟ୍ରାଞ୍ଜିସ୍ନାଲ୍ ହେଲ୍ଥ୍ ଇନ୍ସ୍ୟୁରାନ୍ସ୍’ ଏବଂ ‘ଏକ୍ସଟର୍ନାଲ୍ ଜବ୍ ପ୍ଲେସମେଣ୍ଟ ସପୋର୍ଟ’ ଆଦି ପ୍ୟାକେଜ୍ ଯୋଗାଇ ଦେବୁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ମହାମାରୀ ସମୟରେ ‘ଆମାଜନ୍’ ବହୁସଂଖ୍ୟକ କର୍ମଚାରୀଙ୍କୁ ଦ୍ରୁତ ନିଯୁକ୍ତି ଦେଇଥିଲା। ଯାହା ଏବେ କମ୍ପାନୀର ଅଭିବୃଦ୍ଧିର କାରଣ ପାଲଟିଛି। ଏଥିପାଇଁ କର୍ମଚାରୀମାନଙ୍କୁ ଛଟେଇ କରାଯାଇଛି । ସେପ୍ଟେମ୍ବର ଶେଷ ସୁଦ୍ଧା ବିଶ୍ବବ୍ୟାପୀ ‘ଆମାଜନ୍’ ଗ୍ରୁପରେ୧୫ ଲକ୍ଷ କର୍ମଚାରୀ ଥିଲେ। ଆମାଜନର ଅଭିବୃଦ୍ଧି ଦ୍ରୁତ ଭାବେ ହ୍ରାସ ପାଉଥିବାରୁ ହଜାର ହଜାର କର୍ମଚାରୀଙ୍କୁ ଏଭଳି ଭୋଗିବାକୁ ପଡିବ ।

ଏହା ପୂର୍ବରୁ ଟ୍ୱିଟରରୁ ଏଲନ୍ ମସ୍କ ବଡ଼ ଧରଣର ଛଟେଇ କରିଥିଲେ। ଅନ୍ୟପଟେ ଫେସବୁକ୍ ମଧ୍ୟ ଅନେକ କର୍ମଚାରୀଙ୍କୁ କମ୍ପାନୀରୁ ବାହାରର ରାସ୍ତା ଦେଖାଇ ସାରିଛି। ଫେସବୁକର ପ୍ୟାରେଣ୍ଟ୍ କମ୍ପାନୀ ମେଟା ୧୧,୦୦୦ରୁ ଅଧିକ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛି। ରାଇଡ୍-ସେୟାରିଂ ପ୍ଲାଟଫର୍ମ ଉବର ଏବଂ ନେଟଫ୍ଲିକ୍ସ ସହିତ ଅନେକ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ ଏବଂ ଲୋଡ଼ିଂ ପ୍ଲାଟଫର୍ମ ଲୋକଙ୍କୁ ବାହାର କରିଛି। ଏକାଥରେ ୧୮୦୦ କର୍ମଚାରୀଙ୍କୁ ଛଟେଇ କରିଥିଲା ମାଇକ୍ରୋସଫ୍ଟ ।

Related Posts