ଭୁବନେଶ୍ୱର,୧୧l୧(ସତ୍ୟପାଠ ବ୍ୟୁରୋ): ଦୀର୍ଘଦିନର କଳ୍ପନାର ଅନ୍ତ ଘଟାଇ ଆସନ୍ତା ୧୬ ତାରିଖରେ ଓଡ଼ିଶା ଆସିବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଐତିହାସିକ ଡାକୋଟା ବିମାନ। କୋଲକାତା ବିମାନବନ୍ଦରରେ ଥିବା ଏହି ବିମାନ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଅଣାଯିବ। ଏହାକୁ ବିମାନବନ୍ଦର ପ୍ରବେଶ ପଥରେ ସୁଦୃଶ୍ୟ ମଞ୍ଚ ଉପରେ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶିତ ହେବ। ହକି ବିଶ୍ୱକପ୍‌ ସମୟରେ ଦେଶ ବିଦେଶରୁ ଆସିଥିବା ଖେଳାଳି ଏବଂ ଦର୍ଶକ ଏହି ଐତିହାସିକ ବିମାନକୁ ଦେଖିବାର ସୁଯୋଗ ପାଇବେ।

ଉଲ୍ଲେଖଯୋଗ୍ୟ ଯେ, କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିଜୁ ବାବୁଙ୍କ ଡାକୋଟା ବିମାନ ରହିଥିଲା। ଏହାକୁ ଓଡ଼ିଶା ଫେରାଇ ଆଣିବା ପାଇଁ ପ୍ରାୟ ବର୍ଷେ ହେଲା ରାଜ୍ୟ ସରକାର ଉଦ୍ୟମ ଚଳାଇଥିଲେ। ଏନେଇ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏବେ କୋଲକାତା ବିମାନବନ୍ଦରରେ ଡାକୋଟା ବିମାନର ଡେଣାକୁ ଅଲଗା କରିବା କାମ ଚାଲିଛି । ଏହା ସଡ଼କ ପଥରେ ଭୁବନେଶ୍ୱର ଆସିବ। ବିମାନକୁ ରଖିବା ଲାଗି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରବେଶ ପଥରେ ୧.୧ ଏକର ଜମି ଚିହ୍ନଟ ହୋଇଛି। ଭୁବନେଶ୍ୱରରେ ପହଞ୍ଚିବା ପରେ ବିଶେଷଜ୍ଞଙ୍କ ଜରିଆରେ ଏହାର ଡେଣାକୁ ଯୋଡ଼ାଯାଇ ପୂର୍ବ ରୂପ ଦିଆଯିବ। ଏଥିସହ ଏଥିରେ ରଙ୍ଗ କରାଯିବ। ବିମାନ ଯେପରି ବିନା ଦ୍ୱିଧାରେ ସଡ଼କ ପଥରେ ଆସି ଭୁବନେଶ୍ୱରରେ ପହଞ୍ଚିବ ସେଥିପାଇଁ ପରିବହନ ବିଭାଗ ପଦକ୍ଷେପ ନେଉଛି। ଟ୍ରାଫିକ ପରିଚାଳନା ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ ଏବଂ ଖୋର୍ଦ୍ଧା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଅଧିକାରୀ ଜଣକ କହିଛନ୍ତି।

ସୂଚନାଯୋଗ୍ୟ ଯେ, ବିଜୁବାବୁଙ୍କ ଜୀବନରେ ଡାକୋଟା ବିମାନ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଥିଲା। ୧୯୪୭ ଜୁଲାଇ ୨୧ରେ ବିଜୁ ପଟ୍ଟନାୟକ ଏହି ଡାକୋଟା ବିମାନରେ ତତ୍କାଳୀନ ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀ ଏବଂ ଉପରାଷ୍ଟ୍ରପତିଙ୍କୁ ଡଚମାନଙ୍କ କବଳରୁ ଉଦ୍ଧାର କରି ଭାରତ ଆଣିଥିଲେ। ଏହି ସାହସିକତା ପାଇଁ ବିଜୁବାବୁଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ‘ଭୂମିପୁତ୍ର’ ସମ୍ମାନ ପ୍ରଦାନ କରାଯାଇଥିଲା।