ଭୁବନେଶ୍ୱର,୧୬/୧(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ପୁଣି ଆରମ୍ଭ ହେବ କୋଭିଡ୍ ଟିକାକରଣ। ଆସନ୍ତା ଜାନୁୟାରୀ ୧୯ରୁ ରାଜ୍ୟରେ ଏହି ଟିକାକରଣ ଅଭିଯାନ ଆରମ୍ଭ ହେବ। ନିର୍ଦ୍ଦିଷ୍ଟ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୂର୍ବ ପରି ଏହି ଟିକାକରଣ ଚାଲିବ। ଏନେଇ ଆଜି ଟ୍ୱିଟ୍‌ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।ଯେଉଁଥିରେ କୁହାଯାଇଛି, ରାଜ୍ୟର ସମସ୍ତ ଜିଲ୍ଲା, ସହରାଞ୍ଚଳ, ଗୋଷ୍ଠୀ ଓ ପ୍ରଥମିକ ଡାକ୍ତରଖାନାରେ ଭ୍ୟାକସିନ୍ ଦିଆଯିବ।

ଯେଉଁମାନେ ଦ୍ୱିତୀୟ ଓ ପ୍ରିକସନ୍ ଡୋଜ୍ ନେଇ ନାହାନ୍ତି, ସେମାନେ ଏହି ଟିକା ନେଇପାରିବେ। ଏହି ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ କେବଳ କୋଭିସିଲ୍ଡ ଟିକା ଉପଲବ୍ଧ ହେବ। ଯେଉଁ ସବୁ ଲୋକେ କୋଭିସିଲ୍ଡ ନେଇଥିବେ ସେମାନେ ପୁଣି ଦ୍ୱିତୀୟ ଓ ପ୍ରିକସନ୍ ଡୋଜ୍‌ ନେଇ ପାରିବେ। ଲୋକେ ଟିକାକରଣର ସୁଯୋଗ ଉଠାଇବା ସହ କରୋନାରୁ ସୁରକ୍ଷିତ ରହିବା ନିମନ୍ତେ ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଛି ସ୍ୱାସ୍ଥ୍ୟ ବିଭାଗ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଏବେ କୋଭିଡ୍ ସ୍ଥିତି ଚିନ୍ତାଜନକ ନୁହେଁ। ଏବେ ଦେଶରେ ବା ଓଡ଼ିଶାରେ କୋଭିଡର ବିଏଫ.୭ ଭାରିଏଣ୍ଟକୁ ନେଇ ଯେଉଁ ଆଶଙ୍କା କରାଯାଉଛି, ତାହା ବି ୩-୪ମାସ ଧରି ଏଠାରେ ରହିଛି । ଏହାର କିଛି ବି ସେଭଳି ଗୁରୁତର ପରିଣାମ ହୋଇନି। ଓଡ଼ିଶାରେ ପ୍ରତି ୧୦ଲକ୍ଷରେ ୧୩୧ଜଣଙ୍କ କୋଭିଡ୍ ପରୀକ୍ଷା ହେଉଥିବାବେଳେ ଦୈନିକ ପ୍ରାୟ ୭ହଜାର ପରୀକ୍ଷା ହେଉଛି । ସେମାନଙ୍କ ମଧ୍ୟରୁ ମାତ୍ର ୫ରୁ ୬ଜଣ ସଂକ୍ରମିତ ଚିହ୍ନଟ ହେଉଛନ୍ତି । କୌଣସି ସଂକ୍ରମିତଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଖରାପ ହେଉନି। ସେହିଭଳି ଦେଶରେ ବି ସର୍ବାଧିକ ୧୦୦ ଭିତରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ରହୁଛି । ଓଡ଼ିଶାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୦.୦୪% ହୋଇଥିବାବେଳେ ସମଗ୍ର ଦେଶରେ ଏହା ୦.୩% ଅଛି ।