ଭୁବନେଶ୍ୱର,୨୧/୧(ସତ୍ୟପାଠ ବ୍ୟୁରୋ): ଜାମ୍ମୁ-କାଶ୍ମୀରରେ ସିରିଜ ବିସ୍ଫୋରଣ। ନରୱାଲ ଅଞ୍ଚଳରେ ଦୁଇଟି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣ ଫଳରେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । ନରୱାଲ ଟ୍ରାନ୍ସପୋର୍ଟ ନଗର ୟାର୍ଡ ନମ୍ୱର-୨ରେ ଦୁଇଟି ବିସ୍ଫୋରଣ ହୋଇଛି। ଯେଉଁଥିରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ପାଇ ଘଟଣା ସ୍ଥଳରେ ଜାମ୍ମୁ ଏଡିଜିପି ମୁକେଶ ସିଂହ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଏନେଇ ମୁକେଶ ସିଂହ କହିଛନ୍ତି, ବିସ୍ଫୋରଣ ଜାମ୍ମୁ ସହର ସ୍ଥିତ ନରବାଳ ଅଞ୍ଚଳରେ ହୋଇଛି। ପୂରା ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନକୁ ଜୋର୍ଦାର କରାଯାଇଛି ବୋଲି ସେ କହିଛନ୍ତି। ଆହତ ଲୋକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି। ଦୁଇଟି ବିସ୍ଫୋରଣ ପରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।
ବିସ୍ଫୋରଣକୁ ନେଇ ଆଉ ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ଯେଉଁ ସ୍ଥାନରେ ବିସ୍ଫୋରଣ ହୋଇଛି, ସେଠାରେ କବାଡ଼ି ଦୋକାନ ରହିଛି। ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେ ଏହି କବାଡ଼ି ଦୋକାନରେ ରହିଥିବା କିଛି ବିସ୍ଫୋରକ ସାମଗ୍ରୀରୁ ବିସ୍ଫୋରଣ ହୋଇଛି। ତେବେ ବର୍ତ୍ତମାନ ଯାଏ ଏହାର ସଠିକ କାରଣ ଜଣାପଡ଼ି ନାହିଁ।





