ଭୁବନେଶ୍ୱର,୨୩/୧(ସତ୍ୟପାଠ ବ୍ୟୁରୋ): ରବିବାର ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସରକାରଙ୍କ ଅପାରଗତା ଓ ନିଷ୍କ୍ରିୟତା ସଂପର୍କରେ ଆଲୋଚନା ହେବା ସହ ଆଗାମୀ ଦିନରେ ବିଜେପିର ରୋଡ ମ୍ୟାପକୁ ନେଇ ବ୍ୟାପକ ଆଲୋଚନା ହୋଇଥିଲା ।ଶନିବାର ରାଜ୍ୟ ପଦାଧିକାରୀ ବୈଠକରେ ଆଗତ ହୋଇଥିବା ସମସ୍ତ ପ୍ରସଙ୍ଗରେ ଆଜିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ସମସ୍ତ ପ୍ରସ୍ତାବ ପାରିତ କରାଯାଇଅଛି । ରବିବାର ସକାଳେ କାର୍ଯ୍ୟକାରିଣୀ ଉଦ୍ଘାଟନ ଅବସରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ବନ୍ଦେ ମାତରଂ ଓ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କର ବିୟୋଗରେ କାର୍ଯ୍ୟକାରିଣୀରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ଏହି ବୈଠକରେ ଓଡ଼ିଶା ଦାୟିତ୍ୱରେ ଥିବା ବିଜେପିର ସାଧାରଣ ସଂପାଦକ ତଥା କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ପ୍ରଭାରୀ ତଥା ରାଷ୍ଟ୍ରୀୟ ସାଧାରଣ ସଂପାଦକ ଡି.ପୁରନ୍ଦେଶ୍ୱରୀ, ସହପ୍ରଭାରୀ ସାଂସଦ ବିଜୟ ପାଲସିଂ ତୋମାର ଓ ରାଜ୍ୟ ସଂଗଠନ ସାଧାରଣ ସଂପାଦକ ମାନସ କୁମାର ମହାନ୍ତି ବିଜେପିର ସାଙ୍ଗଠନିକ କାର୍ଯ୍ୟକ୍ରମରେ ସମୀକ୍ଷା କରିବା ସହ ଆଗାମୀ ୪ମାସର ରୋଡମ୍ୟାପର ବିସ୍ତୃତ ଆଲୋଚନା କରିଥିଲେ ।
ବୈଠକ ପରେ ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ, କାର୍ଯ୍ୟକାରିଣୀ ବୈଠକରେ ଓଡ଼ିଶାରେ ୨୦୨୪ରେ ହେବାକୁ ଯାଉଥିବା ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପି ତାର ବିଜୟ ପାଇଁ ଦୁଇ ସୂତ୍ରୀ କାର୍ଯ୍ୟକ୍ରମ ହାତକୁ ନେଇଛି । ତୃଣମୂଳ ସ୍ତରରେ ବୁଥ୍କୁ ସଶକ୍ତ ଓ ସକ୍ରିୟ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ତତ୍ସହିତ ଓଡ଼ିଶାରେ ବିଜୁ ଜନତା ଦଳ ବିରୋଧରେ ତୃଣମୂଳ ସ୍ତରରେ ରାଜନୈତିକ ଲଢେଇ କରାଯିବ। କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାର ଓଡ଼ିଶା ପାଇଁ ଦେଉଥିବା ସମସ୍ତ କେନ୍ଦ୍ରୀୟ ଯୋଜନାର ଲାଭ କିଭଳି ଓଡ଼ିଶା ଲୋକ ପାଇବେ ଓ ବିଜେପି ଏହାକୁ ନେଇ ଜନସାଧାରଣଙ୍କୁ ଅବଗତ କରିବ। ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଚାଉଳ ପ୍ରଦାନ, ଓଡ଼ିଶାକୁ ୨୮ଲକ୍ଷରୁ ଊର୍ଦ୍ଧ୍ୱ ପ୍ରଧାନମନ୍ତ୍ରୀ ଆବାସ, ଏସଏଚଜି ସୁଧଛାଡ, ଜାତୀୟ ରାଜପଥ ଓ ରେଳସେବା କ୍ଷେତ୍ରରେ ଓଡ଼ିଶାକୁ ଅଗ୍ରାଧିକାର, ଜି-୨୦ସମ୍ମିଳନୀ ପାଇଁ ଓଡ଼ିଶାକୁ ଗୁରୁତ୍ୱ, ୫ଜି ନେଟୱାର୍କ ସେବା ପ୍ରଚଳନ, ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ରୀୟ କଲ୍ୟାଣ ଯୋଜନା ପ୍ରଭୃତିରେ ଓଡ଼ିଶାକୁ ବିପୁଳ ଅର୍ଥ ପ୍ରଦାନ କରିଥିବା ସମ୍ପର୍କରେ ରାଜ୍ୟ କାର୍ଯ୍ୟକାରିଣୀରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ତଥ୍ୟ ରଖିଥିଲେ। କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକାରିଣୀ ପ୍ରସ୍ତାବ ଆଗତ କରାଯାଇଥିଲା। ସମ୍ମିଳନୀରେ ତିନୋଟି ପ୍ରସଙ୍ଗ ଶିକ୍ଷା, ସଂସ୍କୃତି ଓ ଶକ୍ତି ବିଷୟକୁ ପର୍ଯ୍ୟାୟକ୍ରମେ ଆଲୋଚନାକୁ ନିଆଯିବାର ପ୍ରସ୍ତାବ ଓଡିଶାର ଭୁବନେଶ୍ୱର, ପୁରୀ ଓ କୋଣାର୍କରେ ରଖାଯାଇଛି । ଏହାକୁ ସଫଳ କରିବା ପାଇଁ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କାର୍ଯ୍ୟକାରିଣୀରେ ବିସ୍ତୃତ ଯୋଜନା ରଖିଥିଲେ। ଆଜିର ରାଜ୍ୟ କାର୍ଯ୍ୟକାରିଣୀରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ, ରାଜ୍ୟ କୋର କମିଟି ସଦସ୍ୟ, ରାଜ୍ୟ ପଦାଧିକାରୀ, ରାଜ୍ୟ ମୁଖପାତ୍ର, ସାଂସଦ, ବିଧାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଓ ସମସ୍ତ ମୋର୍ଚ୍ଚାର ସଭାପତି ପ୍ରମୁଖ ଉପସ୍ଥିତ ଥିଲେ।
